୨ ପାରା ଶିକ୍ଷକଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ଛତିଶଗଡ଼ : କିଛିଦିନ ବ୍ୟବଧାନ ପରେ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି ମାଓବାଦୀ । ଗୋଟିଏ ପଟେ ସୁରକ୍ଷାବାହିନୀର ଜୋରଦାର ମାଓ ଦମନର ଅତିଷ୍ଠ ବହୁ ସଂଖ୍ୟକ ମାଓବାଦୀ ମୁଖ୍ୟସ୍ରୋତକୁ ଫେରୁଥିବାବେଳେ ଅନ୍ୟ ପଟେ ୨ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟାକରିଛନ୍ତି । ପୋଲିସ ଇନ୍ଫୋର୍ମର ସନ୍ଦେହରେ ଛତିଶଗଡ ନାରାୟଣପୁର ଜିଲ୍ଲା ଏବଂ ବିଜାପୁର ଜିଲ୍ଲାରେ ଏହି ୨ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ମୃତ ଶିକ୍ଷକ ଦୁଇଜଣ ହେଲେ ବୁଧରାମ କାଡିୟମ ଏବଂ ରାମଶଙ୍କର ଯାଦବ । ସେମାନେ ରେମାୱଣ୍ଡ ଗାଁର ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ ।

ସୂଚନା ଅନୁଯାୟୀ, ଦୁହେଁ ସ୍କୁଲରୁ ଫେରୁଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ । ପରେ ଗାଁ ନିକଟରେ ଥିବା ଏକ ରାସ୍ତା କଡ଼ରୁ ସେମାନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ଛାଡିଯାଇଛନ୍ତି, ଯେଉଁଥିରେ ସେମାନେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଏହି ଦୁଇ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ସହିଦ ସପ୍ତାହ ପୁର୍ବରୁ ହିଂସା କାଣ୍ଡ ଘଟାଇ ନକ୍ସଲ ମାନେ ପୁଣିଥରେ ନିଜର ସ୍ଥିତି ଜାହିର କରିଛନ୍ତି ।

ଅନ୍ୟପଟେ ଛୋଟେଡଙ୍ଗର ଥାନା ମାଧେନାର ଗାଁର ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ । ଛୋଟେ ଡଙ୍ଗର ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ମାଧେନାର ଗାଁରେ ୫୦ ରୁ ୬୦ ଜଣ ମାଓବାଦୀ ଆସି ଟାୱାରକୁ ପୋଡି ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଓବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Govt

Comments are closed.