ନୂଆଦିଲ୍ଲୀ: କର୍ଣ୍ଣାଟକାର ମାଙ୍ଗାଲୁରୁରେ ହୋଇଥିବା ଅଟୋ ବିସ୍ପୋରଣ ପଛରେ ଆତଙ୍କବାଦୀ ଲିଙ୍କ୍ ରହିଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କରିବ ବୋଲି କୁହାଯାଉଛି ।
ଏବେ ରାଜ୍ୟ ପୁଲିସର ସ୍ୱତନ୍ତ୍ର ସେଲ ଘଟଣାର ତଦନ୍ତ ଜାରି ରଖିଛି । ଏହାର ତଦନ୍ତ ଏନଆଇଏକୁ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ୨ ଦିନ ମଧ୍ୟରେ ନିଆଯିବ ବୋଲୀ ରାଜ୍ୟ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି ।
ମାଙ୍ଗାଲୁରୁରେ ଜରୁରୀ ସମୀକ୍ଷା ବୈଠକ କରିବା ପରେ ମନ୍ତ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି, ପ୍ରଥମ ଦିନକୁ ହିଁ ମାଙ୍ଗାଲୁରୁ ବିସ୍ପୋରଣ ଘଟଣାରେ କର୍ଣ୍ଣାଟକ ପୁଲିସ୍ ସହ ମିଶି ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥା କାମ କରୁଛନ୍ତି । ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ । ମାଙ୍ଗାଲୁରୁରେ ଏନଆଇଏ ଅଫିସ ପ୍ରତିଷ୍ଠା ପାଇଁ ହେଉଥିବା ଦାବି ସମ୍ପର୍କରେ ସେ କହିଛନ୍ତି ଯେ, ଏକଥା କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନ କରାଯାଇଛି ।
ଅନ୍ୟପକ୍ଷରେ ଡିଜିପି ପ୍ରବୀଣ ସୁଦ କହିଛନ୍ତି ଯେ , ୟୁଏପିଏ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଏନଆଇଏର ଦୃଷ୍ଟିକୁ ଅଣାଯାଇଛି । ଘଟଣାର ବିସ୍ତୂତ ତଥ୍ୟ ମଧ୍ୟ ଏନଆଇଏକୁ ଦିଆଯାଇଛି । ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ କର୍ଣ୍ଣାଟକା ପୁଲିସ୍ ରିପୋର୍ଟ ଦେଇଛି । ଠିକଣା ସମୟରେ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯିବ । ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି ସେ କହିଛନ୍ତି ।
ଶନିବାର ନାଗୋରି ଠାରେ ହୋଇଥିବା ଅଟୋ ବିସ୍ପୋରଣ ସ୍ଥଳକୁ ମନ୍ତ୍ରୀ ଜ୍ଞାନେନ୍ଦ୍ର ଯାଇଥିଲେ । ଏଥିସହ ସେ ବିସ୍ପୋରଣ ପଛରେ ଥିବା ସନ୍ଦିU ଆତଙ୍କୀ ମହମ୍ମଦ ଶାରିକ ଓ ଅଟୋ ଡ୍ରାଇଭର ପୁରୁଷତ୍ତୋମ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ମଧ୍ୟ ଯାଇଛନ୍ତି । ମାଙ୍ଗାଲୁରୁରେ ନିର୍ମାଣଧୀନ କୋଠା ନିକଟ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାି ଶନିବାର ବିସ୍ପୋରଣ ହୋଇଥିଲା । ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ । ଆହତ ଦୁଇ ଜଣ ହେଲେ ଅଟୋ ଡ୍ରାଇଭର ଓ ଯାତ୍ରୀ । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଯାତ୍ରୀଙ୍କ ବ୍ୟାଗରେ ଥିବା ସନ୍ଦେହଜନକ ବସ୍ତୁ ଯୋଗୁ ବିସ୍ପୋରଣ ହୋଇଛି ବୋଲି ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Comments are closed.