ବ୍ୟସ୍ତବହୁଳ ଜୀବନରେ ଘରେ ଫୁଲ ଗଛ ଗୋଟେ ଲଗାଇବାକୁ କାହାରି ପାଖରେ ସମୟ ନାହିଁ । ସମସ୍ତଙ୍କର ଧାରଣା ଗଛ ଲଗାଇବା ପାଇଁ ବହୁତ ସମୟ ଆଉ ପରିଶ୍ରମ ଅଧିକ ପଡ଼ିଥାଏ । ସେଥିପାଇଁ ବଜାରରୁ ମିଳୁଥିବା ଅପମିଶ୍ରିତ ଖାଦ୍ୟ ଖାଇ ଜୀବନ କାଟିଦେବା । କିନ୍ତୁ ଏବେ ସମୟ ବଦଳିଛି । ଶରୀରକୁ ସୁସ୍ଥ ରଖିବା ସହ ଭୟଙ୍କର ରୋଗରୁ ବର୍ତ୍ତିବା ପାଇଁ ଘରେ ସବୁଜ ପନିପରିବା ଲଗାଇବାକୁ ପ୍ରୟାସ କରିବା ଉଚିତ୍ । ବାରିରେ କିମ୍ବା ଛାତ ଉପରେ ଛୋଟ ଗାର୍ଡେନ ପ୍ରସ୍ତୁତ କରିପାରିବେ । କିଚେନରୁ ବାହାରୁଥିବା ଆବର୍ଜନାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରିପାରିବା ।
ଅଳ୍ପ ପ୍ଲାନିଂର ଆବଶ୍ୟକତା
ଯଦି ଆପଣ କିଚେନ୍ ଗାର୍ଡେନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ପ୍ଲାନିଂ କରିବାକୁ ପଡ଼ିବ । ପ୍ରଥମେ କେଉଁଠି କରିବେ, କଣ କଣ ପରିବା ଲଗାଇବେ ଇତ୍ୟାଦି । ସବୁଠୁ ବଡ଼ କଥା କିଚେନ ଗାର୍ଡେନକୁ ଆପଣ କେତେ ସମୟ ଦେଇପାରିବେ । ସମୟକୁ ଦେଖି ଆପଣ ଗାର୍ଡେନ ପ୍ରସ୍ତୁତ କରିବେ । ଗାର୍ଡେନକୁ ସବୁବେଳେ ଘର ପାଖରେ ରଖନ୍ତୁ । କାରଣ ଏହାଦ୍ୱାରା ଆପଣଙ୍କ ସମୟ ବଳିବ । ସ୍ଥାନର ଅଭାବ ଥିଲେ ବାଲକୋନୀ କିମ୍ବା ଛାତରେ ଗାର୍ଡେନ କରିପାରିବେ ।
ମାଟି ପ୍ରସ୍ତୁତ ପ୍ରଣାଳୀ
ପନିପରିବା ବୁଣିିବା ପୂର୍ବରୁ ମାଟିକୁ ପ୍ରସ୍ତୁତ କରନ୍ତୁ । କୁଣ୍ଡରେ ମାଟି ଭର୍ତ୍ତି କରି ପାଣି ପକାଇ ୨ରୁ ୩ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ । ଏହାପରେ ମାଟିକୁ କୋଦାଳରେ କୋଡ଼ା ଖୋସା କରି ଏହାକୁ ସମାନ କରନ୍ତୁ । ଏହା ପରେ ଘରେ ଥିବା ଚା’ ପତି ବା ଗୋବର କିମ୍ବା କମ୍ପୋଷ୍ଟ ମିଶାଇ ପାଣି ଦେଇ ସପ୍ତାହ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ମାଟିକୁ ନରମ କରି ମଞ୍ଜି କିମ୍ବା ଗଛ ଲଗାଇପାରିବେ ।
କଣ କଣ ଲଗାଇପାରିବେ
କିଚେନ ଗାର୍ଡେନରେ ଟମାଟୋ, ମଟର, ଭେଣ୍ଡି, ଝୁଡଙ୍ଗ, ବାଇଗଣ, ବିଭିନ୍ନ ପ୍ରକାର ଶାଗ, ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ଆଦି ସହଜରେ ଲଗାଯାଇପାରିବ । ଏଥିସହ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଲଗାଇପାରିବେ । ଫୁଲରେ ଗୋଲାପ, ଗେଣ୍ଡୁ, ମନ୍ଦାର ଲଗାଇପାରିବେ । କୁଣ୍ଡରେ ମେଥି, ଧନିଆ, ପାଳଙ୍ଗ, କଲରା ଆଦିର ମଞ୍ଜି ବୁଣିପାରିବେ । ନଚେତ୍ ଭେଣ୍ଡି, ଟମାଟୋ, କ୍ୟାପସିକମ୍, କଞ୍ଚା ଲଙ୍କା ଲଗାଇପାରିବେ । ଏସବୁ ବହୁତ ଶୀଘ୍ର ବଡ ହୋଇଯାଇଥାଏ । ମାସେରୁ ଦେଢ ମାସ ମଧ୍ୟରେ ପରିବା ଫଳିଥାଏ । କିଚେନ ଗାର୍ଡେନ କଲା ବେଳେ ଧ୍ୟାନ ଦେବେ ସର୍ବଦା ଋତୁ ଅନୁସାରେ ଗଛ ଲଗାଇବେ ।
କେମିତି ଲଗାଇବେ
ବଗିଚା ପାଇଁ ସର୍ବଦା ଘରର ଏପରି ଅଂଶ ବାଛନ୍ତୁ ଯେଉଁଠାରେ ସୂର୍ଯ୍ୟକିରଣ ଯଥେଷ୍ଟ ପରିମାଣରେ ପହଞ୍ଚିପାରୁଥିବ । ଆହୁରି ମଧ୍ୟ ବଗିଚାରେ ପର୍ଯ୍ୟାପ୍ତ ପରିମାଣର ପାଣି ଦେବାକୁ ସୁବିଧା ଥିବା ଆବଶ୍ୟକ । ପନିପରିବା ଲଗାଇବା ପାଇଁ ଛୋଟ ଏବଂ ପ୍ରଶସ୍ତ ହାଣ୍ଡି, ପ୍ଲାଷ୍ଟିକ ଟ୍ର, ପୁରୁଣା ବାଲ୍ଟି, ଟବ୍, ଖାଲି ଡ୍ରମ ଇତ୍ୟାଦି ମଧ୍ୟ ବ୍ୟବହାର କରାଯାଇପାରିବ । ମୃତ୍ତିକା କୁଣ୍ଡ ସର୍ବୋତ୍ତମ ବୋଲି ବିବେଚନା କରାଯାଏ ଯେହେତୁ ସେଗୁଡିକରେ ବାୟୁ ଯାଆସ କରିବାର ସୁବିଧା ରହିଥାଏ । ଛୋଟ ଗଛକୁ ୮ ଇଞ୍ଚ, ମଧ୍ୟମକୁ ୧୦ ଇଞ୍ଚ ଏବଂ ବଡ଼ ଗଛକୁ ୧୨ ଇଞ୍ଚ ହାଣ୍ଡିରେ ରଖିବା ଭଲ । ଫଳ କିମ୍ବା ପନିପରିବା ଲଗାଇବା ପାଇଁ ସବୁବେଳେ ପ୍ରାକୃତିକ ପ୍ରଜନନ ମଞ୍ଜି ବ୍ୟବହାର କରିବା ଉଚିତ୍ । ନିକଟ ନର୍ସରୀ କିମ୍ବା ବିହନ ଦୋକାନାରୁ କିଣିପାରିବେ ।
ସାର ପ୍ରସ୍ତୁତ ପ୍ରଣାଳୀ
ଗଛକୁ ସାର କିମ୍ବା ଖତ ଅତ୍ୟନ୍ତ ଜରୁରୀ । ତେଣୁ ଘରେ ଆପଣ ନିଜେ ପ୍ରସ୍ତୁତ କରିପାରିବେ ଖତ । ଘରେ ସ୍ଥାନ ଥିଲେ ଏକ ଗଭୀର ଗାତ ଖୋଳନ୍ତୁ । ସେଥିରେ ରୋଷେଇ ଘରୁ ବାହାରୁଥିବା ନରମ ଚୋପା, ପନିପରିବା ଏବଂ ଫଳ ସେଥିରେ ପକାନ୍ତୁ । ଯଦି ବର୍ଜ୍ୟବସ୍ତୁ ଅତ୍ୟଧିକ ଓଦା, ତେବେ ଶୁଖିଲା ପତ୍ର କିମ୍ବା ଖବରକାଗଜ ଉପରେ ରଖନ୍ତୁ । ଏହା ଉପରେ ଘନ ମାଟି ରଖି ଘୋଡାନ୍ତୁ । ଗାତ ଭର୍ତ୍ତି ହେବା ପର୍ଯ୍ୟନ୍ତ ଏହାକୁ ଭରନ୍ତୁ । ମିଶ୍ରଣଟି ଏକ ତୃତୀୟାଂଶ ନହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଖତ ହେବା ପାଇଁ ପ୍ରାୟ ୩ ମାସ ଲାଗିଥାଏ । ଏହା ପରେ ଖତକୁ ବାହାର କରି ଅନ୍ୟ କୁଣ୍ଡରେ ମାଟିର ସ୍ତର ଦେଇ ରଖନ୍ତୁ । ଏହି ଖତକୁ ୧୫ରୁ ୨୦ ଦିନ ମଧ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବ ।

କେତେ ସମୟ ଲାଗେ
-ଟମାଟୋ ୩୦ରୁ ୩୫ ଦିନ ମଧ୍ୟରେ ଫଳ ଦେବା ଆରମ୍ଭ କରେ । ଥରେ ଟମାଟୋ ଲଗାଯିବା ପରେ ବହୁତ ଦିନ ପର୍ଯ୍ୟନ୍ତ ଏଥିରୁ ଫଳ ବାହାରିଥାଏ । ହେଲେ ପ୍ରତି ଋତୁରେ ଟମାଟୋର ନୂଆ ମଞ୍ଜି ଲଗାଇବା ଦରକାର ।
-ରୋପଣର ୩୫ରୁ ୪୦ ଦିନ ଭିତରେ ଗାଜର ହୋଇଥାଏ । ଥରେ ଖୋଳିଦେବା ପରେ ଆଉ ଗାଜର ହୋଇନଥାଏ ।
-୪ରୁ ୫ ସପ୍ତାହ ମଧ୍ୟରେ ପାଳଙ୍ଗ ଏବଂ ମେଥି ହୋଇଥାଏ । ଏହାକୁ କାଟି ବାରମ୍ବାର ଖାଇପାରିବେ । ଥରେ କାଟିବା ପରେ ଏକ ସପ୍ତାହ ମଧ୍ୟରେ ପୁଣି ହୋଇଥାଏ ।
କିଛି ଜରୁରୀ ଟିପଣୀ
-କିଚେନ ଗାର୍ଡେନ ଆରମ୍ଭ କରିବା ବେଳେ ପର୍ଯ୍ୟାପ୍ତ ସୂଚନା ଥିବା ପନିପରିବା ଉପରେ ଚାଷ କରନ୍ତୁ । କଦଳୀ, ଶାଗ, ଧନିଆପତ୍ର, କଞ୍ଚା ଲଙ୍କାକୁ କିଚେନ ଗାର୍ଡେନର ସ୍ଥାୟୀ ଗଛ ଭାବେ ଲଗାନ୍ତୁ । ତାପରେ ଧିରେ ଧିରେ ବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ସଂଖ୍ୟା ବୃଦ୍ଧି କରିପାରିବେ ।
– ୧୫ ଦିନରେ ଥରେ ନିଜେ କମ୍ପୋଷ୍ଟ ତିଆରି କରନ୍ତୁ । ଉଦ୍ଭିଦଗୁଡ଼ିକ ପିଲାମାନଙ୍କ ପରି । ଆପଣ ଯେତେ ଅଧିକ ଯତ୍ନ ନେବେ ।
Comments are closed.