ମୁମ୍ବାଇ: ଜୁନ ୨୨: ଆଶା ଆଶଙ୍କାରେ ଟଳମଳ ଉଦ୍ଧବ ସରକାର । ଶିବସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟ- ମହାରାଷ୍ଟ୍ର ମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଘନେଇ ଆସିଛି । ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଏକନାଥ ସିନ୍ଦେ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତ ଚାଲିଯାଇଛନ୍ତି । ଏହାରି ଭିତରେ ଏକନାଥ ସିନ୍ଧେଙ୍କ ସହ ସମସ୍ତ ବିଧାୟକ ସୁରଟରୁ ଯାଇ ଗୌହାଟିରେ ପହଞ୍ଚିଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ସହ ଏକନାଥ ସିନ୍ଦେ ସର୍ତ୍ତ ରଖିଛନ୍ତି । ବିଜେପି ସହ ମେଣ୍ଟ କଲେ ପାର୍ଟି ଭାଙ୍ଗିବନି । ଏଥିସହ ଏକନାଥ କହିଛନ୍ତି, ସେ ବାଲାସାହେବ ଠାକେରଙ୍କ ଦଳ ଶିବସେନାଙ୍କ ସହ ଅଛନ୍ତି । ଏପଟେ ଘଟଣାକୁ ନେଇ ଆଜି ଦିନ ଗୋଟାଏରେ ମହାରାଷ୍ଟ୍ର କ୍ୟାବିନେଟ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସ ଏବଂ ଏନସିପି ସହ ମେଣ୍ଟ ଭାଙ୍ଗି ବିଜେପି ସହ ମେଣ୍ଟ କରିବାକୁ ସର୍ତ୍ତ ରଖିଛନ୍ତି । ଏପରିକି ଏକନାଥ ସିନ୍ଦେ ନିଜେ ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ପକାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ସିନ୍ଦେ, ୩ ବିଧାୟକଙ୍କୁ ମାତୋଶ୍ରୀ ପଠାଇଥିଲେ । ସେଠାରେ କଣ ଆଲୋଚନା ହୋଇଥିଲା ତାହା ସାମ୍ନାକୁ ଆସିନାହିଁ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସିନ୍ଦେଙ୍କ ସହ ଶିବସେନା ପ୍ରତିନିଧି ଆଲୋଚନା କରୁଛନ୍ତି । ବିଦ୍ରୋହୀ ବିଧାୟକଙ୍କ ସହ ଆମେ ସମ୍ପର୍କ କରୁଛୁ । ଖୁବ୍ ଶୀଘ୍ର ସେମାନେ ମହାରାଷ୍ଟ୍ର ଫେରିବେ ବୋଲି ସଞ୍ଜୟ ରାଉତ କହିଛନ୍ତି । ତେବେ କଣ ରହିବ ମହାରାଷ୍ଟ୍ର ସରକାରଙ୍କ ଆଗାମୀ ପଦକ୍ଷେପ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ରହିଛି ।

Comments are closed.