ଉଦ୍ଧବ ଠାକରେଙ୍କ ପାଇଁ ବଡ ସଂକଟ

ମହାରାଷ୍ଟ୍ର: ଜୁନ୍‌ ୨୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନେତୃତ୍ୱରେ ଗଠିତ ମହାବିକାଶ ଅଘାଡ଼ି ସରକାରରେ ଅନାସ୍ଥା ସନ୍ଦେହ କରାଯାଉଛି । ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଶିବସେନାର ୧୧ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନି । ବର୍ତ୍ତମାନ ଉଦ୍ଧବଙ୍କ ପାଇଁ ଘାରିଛି ସଂକଟ । ବର୍ତ୍ତମାନ ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ସୁରଟର ଏକ ୫ ତାରକା ହୋଟେଲରେ ଅଛନ୍ତି ବୋଲି କୁହାଯାଉଛି । ସୂତ୍ର ଅନୁସାରେ ସମସ୍ତ ବିଧାୟକ ସୋମବାର ସନ୍ଧ୍ୟା ୭ଟାରେ ଏକ ଚାର୍ଟାର୍ଡ ବିମାନରେ ସୁରଟକୁ ଯାତ୍ରା କରିଥିଲେ । ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ଉଦ୍ଧବ ସରକାରଙ୍କ ପ୍ରତି ସଂକଟ ବଢ଼ିଥିବା କୁହାଯାଉଛି । ବିଜେପିର ଜଣେ ପ୍ରାର୍ଥୀ କ୍ରସ୍‌ ଭୋଟିଂରେ ଜିତିବାରୁ ସଙ୍କଟ ଦେଖାଦେଇଥିବା ଅନୁମାନ କରାଯାଉଛି । ତେବେ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ଏପରି ସ୍ଥିତି ଉପୁଜିଛି । ଏନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସମସ୍ତ ବିଧାୟକଙ୍କୁ ଏହି ସଭାରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ମରାଠୀ ମିଡିଆ ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ଗତ କିଛି ଦିନ ହେବ ଏକନାଥ ଦଳର ପ୍ରଦର୍ଶନକୁ ନେଇ ଖୁସି ନଥିଲେ । ଫଳାଫଳ ପରେ ସମସ୍ତ ବିଧାୟକ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନରେ ଭେଟିଥିଲେ । ଆଉ ତାହା ପର ଠାରୁ ଏକନାଥ ସିନ୍ଧେ ଏବଂ ଅନ୍ୟ ୧୧ ଜଣ ବିଧାୟକ ଏହି ସଭାରୁ ନିଖୋଜ ଅଛନ୍ତି ।

Comments are closed.