ରଥ କାଠ ପାଇଁ ନୟାଗଡ଼ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ

ନୟାଗଡ଼: ରଥଯାତ୍ରାର ଆଦ୍ୟ ପର୍ବ ହୋଇଛି । ଆସନ୍ତାବର୍ଷ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡ଼ରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ପୁରୀରୁ ଯାଇଥିବା ଟିମ୍‌ ସ୍ଥାନୀୟ ‘ଡିଏଫଓ’ଙ୍କୁ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରିଛନ୍ତି । ଜିଲ୍ଲା ବନ ବିଭାଗ ଏବେଠାରୁ କାଠ ଚିହ୍ନଟ ଓ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବ । ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚାଯିବ ବୋଲି ‘ଡିଏଫଓ’ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି ।

ପରମ୍ପରା ଅନୁସାରେ ଗଣିଆ ବନାଞ୍ଚଳର ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ହୋମ ଓ ନାମ ସଙ୍କୀର୍ତ୍ତନ କରାଯାଇଥିଲା। ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବା ପରେ ଗଛକଟା ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ସୋମବାର ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡ଼ମୂଳସ୍ଥିତ ବଡ଼ରାଉଳ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିଥିଲା । ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ରାକେଶ ରାୟ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ, ମହାର୍ଘ ନେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସିଥିବା ଏହି ଟିମ୍‌ ସୋମବାର ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାତ୍ରିଯାପନ କରିବା ପରେ ଆଜି ମଙ୍ଗଳବାର ସକାଳୁ ବଡ଼ମୂଳ ଅଭିମୁଖେ ଗସ୍ତ କରିଛନ୍ତି । ପ୍ରଥମେ ବେଠିଆସାହି ଦଧିବାମନ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ରଥ କାଠ କଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ରହିଥିବା ବେଳେ ଗତ ବର୍ଷର ୫୧ ଖଣ୍ଡ ରଥକାଠ ରଥଖଳାରେ ଗଛିତ ରହିଛି । ରଥ କାଠ କଟାଯିବା ପରେ ଜାନୁଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଇବ ବୋଲି ଜଣାପଡ଼ିଛି । ବହୁ ପୂର୍ବରୁ ନୟାଗଡ଼ ଜଙ୍ଗଲରୁ ସଂଗୃହିତ କାଠରୁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କରାଯାଉଛି ।

ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥକାଠ ଅନୁକୂଳ ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଏହା ପୂର୍ବରୁ ଆବଶ୍ୟକତା ଅନୁସାରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଜଙ୍ଗଲରୁ ପୁରୀକୁ କାଠ ଯୋଗାଯାଏ । ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡକୁ ଚଳିତ ବର୍ଷ ୮୧୪ ଖଣ୍ଡକାଠ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି ।

Govt

Comments are closed.