ପୁରୀ : ରଥ ଯାତ୍ରା ଆରମ୍ଭ ନହେଉଣୁ ଦେଖାଦେଲାଣି ବିଭ୍ରାଟ I ଚୋରି ହୋଇଗଲା ଶ୍ରୀଜୀଉଙ୍କ ଅମୁଣିଆ ମୋଦକ I ଶ୍ରୀଜୀଉଙ୍କ ଗାରଦ ଘରୁ କିଏ ନେଇଗଲା ମୋଦକ ?? ପ୍ରଶାସନର କଡା ତାଗିଦ ସତ୍ତ୍ୱେ ଶ୍ରୀ ଜୀଉଙ୍କ ନୀତି ବିଭ୍ରାଟରେ ପଡୁନାହିଁ ପୂର୍ଣ୍ଣଚ୍ଛେଦ I ଅନବସରରେ ମହାପ୍ରଭୁଙ୍କୁ ଲାଗି ହେବାକୁ ଥିବା ଦଶମୂଳ ମୋଦକ ଚୋରି ହୋଇଛି । ୭୦ ଟି ଅମୁଣିଆ ଦଶମୂଳ ମୋଦକ ଚୋରି କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା । ତେବେ ମୋଦକ ଶ୍ରୀଜିଉଙ୍କୁ ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଛି ଏବଂ କିଭଳି ଏହା ମହାପ୍ରଭୁଙ୍କ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏ ନେଇ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକଚୋରି ନେଇ ଅଭିଯୋଗ ଆଣିଛନ୍ତି ବାଡ଼ଗ୍ରାହୀ ।
ମାରା ହୋଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର ।
ସୂଚନାନୁସାରେ,ଅନବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ବାବଧାନରେ ଜମା ଦେଇ ଥାଆନ୍ତି । କିନ୍ତୁ ଦୁଃଖର ବିଷୟ ମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେଇ ନେବା ସମୟରେ ୩୧୩ ଅମୁଣିଆ ମୋଦକରୁ ୭୦ କମ୍ ଥିଲା । ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା । ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏନେଇ ଦଇତାପତି ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପଟେ,ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ମୋଦକ ଚୋରି କରି ଦିଘା ପଠାଇ ଦିଆଯାଇଛି ବୋଲି ଆଉ ଏକ ଅଭିଯୋଗ କରିଛନ୍ତି କିଛି ସେବାୟତ ।
ପ୍ରାରମ୍ଭିକ ତଥ୍ୟ ସତ୍ୟ ଆଧାରିତ ନୁହେଁ,ଆହୁରି ତଦନ୍ତ କରାଯିବ,ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ସିସିଟିଭି ଯାଞ୍ଚ ଚାଲିଛି ଏହାପରେ ପ୍ରକୃତ ତଥ୍ୟ ପଦାକୁ ଆସିବ । ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରାଯିବା ଠିକ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ ।

Comments are closed.