ଓଡ଼ିଶାରେ ଦୁର୍ଗା ପୂଜାର ରହିଛି ଏକ ଅଲଗା କ୍ରେଜ । ସାରା ରାଜ୍ୟର ଗାଁ ଠାରୁ ଆରମ୍ଭ କରି ସହର ସବୁଠି ବହୁ ଆଡମ୍ବରରେ ମା’ଙ୍କୁ ଆରାଧନା କରାଯାଇଥାଏ । ବିଭିନ୍ନ ଖାଦ୍ୟ ଖାଇବା ସହ ମେଢ ଦେଖି ସମସ୍ତେ ଦୁର୍ଗାପୂଜାର ମଜା ଉଠାଇଥାଆନ୍ତି । ତେବେ ଏହି ସମୟରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ମଧ୍ୟ ଚଳଚଞ୍ଚଳ ହୋଇଉଠେ ।
ନିର୍ଦ୍ଦେଶକମାନେ ସିନେ ପ୍ରେମୀଙ୍କୁ ବିଭିନ୍ନ ନୂଆ ସିନେମା ଭେଟି ଦେଇଥାଆନ୍ତି । ସେହିଭଳି ଅନେକ ସମୟରେ ବିଭିନ୍ନ ସିନେମା ଜରିଆରେ ମଧ୍ୟ ଦୁର୍ଗାଙ୍କ କଥାକୁ ଲୋକଙ୍କ ସମ୍ମୁଖକୁ ଆଣିଛି ଆମ ଓଡିଆ ସିନେ ଇଣ୍ଡଷ୍ଟ୍ରି । ଅନେକ ସିନେମା ଦୁର୍ଗାଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ସବୁ ସିନେମାରେ କିଭଳି ଜଣେ ନାରୀ ଦୁର୍ଗାଙ୍କ ଭଳି ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢୁଛି, ସେ ନେଇ ଚିତ୍ରଣ କରାଯାଇଛି ।
ମା’ ଗୋଜବାୟାଣି –
୧୯୯୧ରେ ପ୍ରସ୍ତୁତ ହୁଏ ଓଡିଆ ସିନେମା ମା’ ଗୋଜବାୟାଣି । ସିନେମାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ସିନେମାଟିରେ ଅନେକ ବରିଷ୍ଟ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ଅନୁ ଚୌଧୁରୀ, କୁନା ତ୍ରିପାଠୀ, ନମ୍ରତା ଦାସ, ପ୍ରଦୁ୍ୟମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ତୃପ୍ତି ସିହ୍ନା ଓ ବିନାୟକ ପ୍ରମୁଖ ନଜର ଆସିଛନ୍ତି । ସେହିଭଳି କମ୍ପୋଜର ଭାବେ ସ୍ୱରୁପ ନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ ଓ କୁନା ତ୍ରିପାଠୀ ଏହି ସିନେମା ଜରିଆରେ ସିନେ ଦୁନିଆରେ ପାଦ ଥାପିଥିଲେ । ଏହାର ପ୍ରଯୋଜନା ସନକ ଦେବତା କରିଥିବାବେଳେ ସଂଳାପ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଲେଖିଛନ୍ତି । ଏହି ସିନେମାର ମା’ଙ୍କ କୃପା ବିଷୟରେ ବର୍ଣ୍ଣନା କରାଯାଇଛି । କିଭଳି ଜୀବନରେ ଅନେକ ସମସ୍ୟା ତାଙ୍କ କୃପାରୁ ସମାଧାନ ହୋଇଥାଏ, ତାହାକୁ ଏଥିରେ କାହାଣୀ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ସେତେବେଳେ ସିନେମାଟି ଦର୍ଶକଙ୍କ ପାଖରେ ବେଶ୍ ଆଦୃତ ହୋଇପାରିଥିଲା ।
ଦେ ମା’ ଶକ୍ତି ଦେ-
୨୦୦୬ରେ ମା’ ମଙ୍ଗଳା ମୁଭିସ୍ କମ୍ପାନିର ରିଲିଜ୍ ହୋଇଥିଲା ଦେ ମା’ ଶକ୍ତି ଦେ ସିନେମା । ଏଥିରେ ଦର୍ଶକ ସିଦ୍ଧାନ୍ତ ମହାପାତ୍ର, ଦେବୁ ବୋଷ, ନମ୍ରତା ଦାସ, ବିଜୁ ବଡଜେନା, ଉଷସୀ ମିଶ୍ର, ଚନ୍ଦନ କର, ରାଇମୋହନ ପରିଡା, ଅର୍ଚ୍ଚିତା ସାହୁ, ପପୁ ପମ୍ପମ୍ ପ୍ରମୁଖଙ୍କୁ ଅଭିନୟ କରିଥିବାର ଦେଖିଥିଲେ । ସିନେମାର ନିର୍ଦ୍ଦେଶନା ସହ କାହାଣୀ ମଧ୍ୟ ସଞ୍ଜୟ ନାୟକ ଲେଖିଥିଲେ । କିଭଳି ଜଣେ ନାରୀ ମା’ଙ୍କର ଆର୍ଶୀବାଦରେ ନିଜ ଜୀବନରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ସହିତ ଆଗକୁ ବଢୁଛି ସେ ନେଇ ବର୍ଣ୍ଣନା କରାଯାଇଛି । ମା’ ଦୁର୍ଗା ଯେପରି ମହିଷାସୁରକୁ ବଦ୍ଧ କରିବା ସହିତ ଦୁନିଆରୁ ପାପ ନାଶନ କରିଥିଲେ ସେହିଭଳି ଏହି ସିନେମାର କାହାଣୀ ଗତିଶୀଳ । ଖୁବ ସୁନ୍ଦର ଭାବେ ଅଭିନେତା ମାନେ ନିଜର ଚରିତ୍ରକୁ ଜୀବନ୍ତ କରିଛନ୍ତି ଏହି ସିନେମାରେ ।
ମଣିନାଗେଶ୍ୱରୀ-
ଓଡ଼ିଆ ଭାଷାର ଅନ୍ୟ ଏକ ସିନେମା ମଣିନାଗେଶ୍ୱରୀ, ଯେଉଁଥିରେ ଦୁର୍ଗାଙ୍କର ଗୁଣ ଗାରିମାକୁ ନିଖୁଣ ଭାବରେ ଚରିତ୍ର ମାଧ୍ୟମରେ ଫୁଟିଆ ଯାଇଛି । କିଭଳି ଜଣେ ନାରୀ ନିଜ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେଉଛି, ସେ ବିଷୟରେ ଏଥିରେ ବର୍ଣ୍ଣନା କରାଯାଇଛି । ସିନେମାର ନିର୍ଦ୍ଦେଶନା ଭାର ବିଜୟ ଭାସ୍କର ନେଇଥିବାବେଳେ ସ୍କ୍ରିନ୍ ପ୍ଲେ ବିଜୟ ଭାସ୍କର ଲେଖିଛନ୍ତି । ଅନ୍ୟମାନଙ୍କ ଭିତରେ ଡାଇଲଗ ଦାୟିତ୍ୱ ସୁବୋଧ ପଟ୍ଟନାୟକ ସମ୍ଭାଳିଥିବାବେଳେ କାହାଣୀ ଲେଖିଛନ୍ତି ଚଞ୍ଚଳ ସାହୁ । ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଲିଜାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା । ଏମାନଙ୍କ ସହିତ ଦେବୁବୋଷ, ମିହିର ଦାସ, ପ୍ରଦୁ୍ୟମ୍ନ ଲେଙ୍କା, ରାଇମୋହନ, ବ୍ରଜ ସିଂଙ୍କ ଭଳି ବରିଷ୍ଠ ଅଭିନେତା ସ୍କ୍ରିନ ସେୟାର କରିଥିଲେ । ସିନେମାଟିର କାହାଣୀ ଦର୍ଶକଙ୍କୁ ବେଶ ପ୍ରଭାବିତ କରିପାରିଥିଲା ।
ମା’ ମତେ ଶକ୍ତି ଦେ-
୧୯୯୦ରେ ପରଦାକୁ ଆସେ ଓଡିଆ ସିନେମା ମା’ ମତେ ଶକ୍ତି ଦେ । ଏହି ସିନେମାର କାହାଣୀ ସମସ୍ତଙ୍କ ଓଡିଆଙ୍କ ମନରେ ଆଜି ଉଜ୍ବୀତ । ବିଜୟ ମହାନ୍ତି ଓ ତନ୍ଦ୍ରରାୟଙ୍କ ଅଭିନୀତ ଏହି ସିନେମା ଓଡିଆ ଦର୍ଶକଙ୍କୁ ଦେଇଥିଲା ଏକ ଭିନ୍ନ ସ୍ୱାଦର ସିନେମା । ସିନେମାରେ ଦର୍ଶକ ଦେବୁ ବୋଷ, ହର ପଟ୍ଟନାୟକ, ଜୟୀରାମ ସାମଲ, ଦୁଖୀରାମ ସ୍ୱାଇଁ ପ୍ରମୁଖଙ୍କୁ ଦେଖିଥିଲେ । ପାରିବାରିକ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ସିନେମା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଦୁର୍ଗାଙ୍କର ଶକ୍ତିକୁ କାହାଣୀ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଏହି ସିନେମାରେ ପ୍ରୟାସ କରାଯାଇଥିଲା ।
ସିଂହ ବାହିନୀ-
ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦର୍ଶକ ପରଦାରେ ମିହିର ଦାସ, ଉତ୍ତମ ମହାନ୍ତି, ଦେବୁ ବୋଷଙ୍କ ଭଳି କଳାକାରଙ୍କୁ ଏକାଠି ଦେଖିବାକୁ ପାଇଥିଲେ । ୧୯୯୮ରେ ଏହି ସିନେମାଟି ପରଦାକୁ ଆସିଥିଲା । ସିନେମାର କାହାଣୀ ପ୍ରମିଳା ରାଉତ ଲେଖିଥିବାବେଳେ ସ୍କ୍ରିନ ପ୍ଲେ ରାଜୁ ମିଶ୍ର ଲେଖିଥିଲେ । ଏଥିରେ ଅଶ୍ରୁମୋଚନ ମହାନ୍ତି, ସ୍ନିUା ମହାନ୍ତି, ରାଇମୋହନ ଓ ଜୟୀଙ୍କ ଭଳି କଳାକାର ନଜର ଆସିଥିଲେ । ସିନେମାରେ କିଭଳି ନାରୀଟିଏ ନିଜର ପରିବାରକୁ ବିଭିନ୍ନ ବିପଦରୁ ରକ୍ଷା କରୁଛି ସେ ନେଇ ବର୍ଣ୍ଣନା କରାଯାଇଛି । ସିନେମାଟି ନାରୀ ଶକ୍ତିର ଏକ ଅନନ୍ୟ ଉଦାହରଣ ।
ଏଥର ପୂଜା ରିଲିଜ୍ରେ..
କଟକର ଦଶହରା ଓଡିଆ ସିନେମା ବିନା ଅଧୁରା । ପ୍ରତିବର୍ଷ ଦଶହରାରେ ବିଭିନ୍ନ ନିର୍ଦେଶକମାନେ ତାଙ୍କର ଅଗଣିତ ଓଡିଆ ସିନେପ୍ରେମୀଙ୍କୁ ଦେଇଥାଆନ୍ତି ଅନେକ ନୂଆ ସିନେମା । ଚଳିତ ଥର ମଧ୍ୟ ସବୁ ବର୍ଷଭଳି ପୂଜା ରିଲିଜ୍ ତାଲିକାରେ ଅନେକ ସିନେମା ସାମିଲ ଅଛି । ପୂଜାରେ ରିଲିଜ ହେବାକୁ ଯାଉଛି ଅଭିନେତା ବାବୁସାନଙ୍କର ଦମନ । ସିନେମାଟି ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ କରାଯାଇଛି । ଏଥିରେ ବାବୁସାନଙ୍କୁ ଦୁର୍ଗମ ଅଞ୍ଚଳରେ ଜଣେ ଡାକ୍ତର ଭୂମିକାରେ ଦେଖିବାକୁ ମିଳିଛି ।
ବିଚ୍ଛିନ୍ନାଞ୍ଚଳରେ ଥିବା ଲୋକଙ୍କର ବିଭିନ୍ନ ସମସ୍ୟା ଓ ଜଣେ ଡାକ୍ତରଙ୍କର ସଂଘର୍ଷର କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି । ତେବେ ଏହି ତାଲିକାରେ ବାବୁସାନଙ୍କର ଆଉ ଏକ ସିନେମା ଗଜପତି ମଧ୍ୟ ସାମିଲ ଅଛି । ସିନେମାଟି ଐତିହାସିକ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଗଠନର କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ସିନେମା । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲି କ୍ରିଷ୍ଣା । ଏହି ତାଲିକାରେ ସାମିଲ ଅଛି ଅନୁଭବଙ୍କ ସିନେମା ରାବଣ । ସିନେମାରେ ଅନୁଭବ ଏଲିନାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି । ସିନେମାଟି ଜଣେ ସାଧାରଣ ବ୍ୟକ୍ତିର ସଂଘର୍ଷର କାହାଣୀନ ବର୍ଣ୍ଣନା କରୁଛି । ତେବେ ଏହି ସମସ୍ତ ସିନେମା ଓଡ଼ିଶାର ପୂଜା ବଜାରକୁ ଆହୁରି ଉସ୍ତ୍ରବମୁଖର କରିବ ବୋଲି ଆକଳନ କରାଯାଉଛି ।
Comments are closed.