ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଅବପାତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୩ ଓ ୨୪ ତାରିଖ ମଧ୍ୟରେ ରାଜ୍ୟର ପାଣିପାଗରେ ସାମାନ୍ୟ ପରିପବର୍ତ୍ତନ ଦେଖାଯାଇପାରେ ।
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଜି ସକାଳ ସୁଦ୍ଧା ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୨୦ କିମି ଦୂରରେ ରହିଥିଲା । ଏହା ଧୀରେଧୀରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ମଧ୍ୟ ରାତି ପର୍ଯ୍ୟନ୍ତ ଅବପାତ ରୂପରେ ହିଁ ରହିଛି । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଯାଏ ଗତି କରିବଛ ୨୨ ତାରିଖ ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ, ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି । କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା । ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା । ଗତକାଲି କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ୱରର ରାତି ତାପମାତ୍ରା ୧୯.୯ ଡିଗ୍ରି ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments are closed.