ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନିରବ ରହୁଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି ହେଉଛି ତ କେଉଁଠି ଲାଇସେନ୍ସ ପ୍ରାପ୍ତ ଭାଟିର କର୍ମଚାରୀ ଓ ବିଦେଶୀ ମଦ ଦୋକାନ କର୍ମଚାରୀ ଓ ବେଆଇନ ମଦ ବ୍ୟବସାୟୀ ମାନେ ଖୁଲମ ଖୋଲା ବାଇକ ମାଧ୍ୟମରେ ଗାଁ ଗାଁ କୁ ବେଆଇନ ଭାବେ ମଦ ବିକ୍ରୟ ପାଇଁ ମଦ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି ।
ବେଆଇନ ଅପମିଶ୍ରଣ ମଦ ଲୋକେ ପିଇ ରୋଗାକ୍ରାନ୍ତ ହେବା ସହ ପ୍ରାଣହାନୀ ହେଉଥିବା ଦେଖାଯାାଉଛି । କିଛି ଦିନ ପୂର୍ବରୁ ଖପ୍ରାଖୋଲ ବିଦେଶୀ ଠିପି ଖୋଲା ଦୋକାନରେ ବେଆଇନ ଅପମିଶ୍ରଣ ମଦ ଜବତ ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ବିଭାଗ ପକ୍ଷରୁ ଚଢାଉ କରି କିଛି ବିଦେଶି ମଦ ଦୋକାନ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ଏବେ ଲାଠୋର ଓ ଖପ୍ରାଖୋଲ ବିଦେଶୀ ଠିପି ଖୋଲା ମଦ ଦୋକାନର କର୍ମଚାରୀ ମାନେ ଗ୍ରାମାଞ୍ଚଳର ମଦ ପିଉଥିବା ଗ୍ରାହକଙ୍କୁ ଛାପା ରେଟ୍ରୁ ଅଧିକ ଦରରେ ମଦ ବିକ୍ରୟ କରୁଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ଲକ ର ୨୧ ଟି ପଞ୍ଚାୟତର ଘୁନୁସର, ଝାକ୍ରିପାଲି, ରେଙ୍ଗାଲି,ଲାଠୋର,ବାଘମୁଣ୍ଡ,ଲୁହାସିଂହା,ଜୁରିଆ, ଧଣ୍ଡାମୁଣ୍ଡା , ଗୁଣ୍ଡୁରୁପାଲି , ବାଘଡ଼ିଆ , ଚାଉଳବାଞ୍ଜି,ବନମାଲ, କର୍ଲାକୁଟୁନା , କୁର୍ଲୁମାଲ , ମହୁରୁଣ୍ଡି, ତେଲେନପାଲି , ଭେଲୁଆଁଖୋଲ , ଭରୁଆମୁଣ୍ଡା, ,ଫୁଲକିମୁଣ୍ଡା , ତୁର୍ଲା, ଦାନାମାଲ, ଦମେଇପାଳୀ , ମାଟିଆଭଟା, ବେନ୍ଦେର ପୁତୁଲାମହୁଲ , ସର୍ଗିପାଲି ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ଦିନକୁ ଦିନ ବେଆଇନ ମଦ କାରବାର ବଢିବାରେ ଲାଗିଛି । ପାଟଣାଗଡ ଅବକାରୀ ବିଭାଗ ନାମକୁ ମାତ୍ର କିଛି ଅପହଞ୍ଚ ଇଲାକା ଯଥା ଖୁରିପାନି, ବାଘଝରନ , ଦମେଇପାଳି ଓ ଅନ୍ୟାନ୍ୟ କିଛି ଗ୍ରାମକୁ ଯାଇ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଓ ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରିବା ସହ କିଛି ମଦ ମାଫିଆଙ୍କୁ ଗିରଫ କରି ନିଜ କାମ ସାରି ଦେଉଥିବା ଅଭିଯୋଗ ହେଉଛି । ଗାଁ ଗାଁ ମାନଙ୍କୁ ବେଆଇନ୍ କୁଚିଆ ମଦ କାରବାରକୁ ଅବକାରୀ ବିଭାଗ ଜାଣିଶୁଣି ନିଦାବିଷ୍ଣୁ ସାଜିଥିବା ବୁଦ୍ଧିଜୀବୀ ମହଲ ଆଳୋଚନା କରୁଛନ୍ତି ।ି ବେଆଇନ ମଦ କାରବାର ବଢୁଥିବା ଯୋଗୁଁ ବ୍ଲକ ଅଞ୍ଚଳରେ ଚୋରି ରାହାଜାନୀ,ମାଡ଼, ଗାଳି ଗୁଲଜ, ବିବାହ ବିଚ୍ଛେଦ ଓ ଜୀବନ ହାନି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଅବକାରୀ ବିଭାଗର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ବେଆଇନ ନିଶା କାରବାର କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଅବକାରୀ ବିଭାଗ ଖୋଲି ରାଜକୋଷରୁ ଦରମା ଦେଉଥିବା ବେଲେ ଖପା୍ରଖୋଲ ଅଞ୍ଚଳ ରେ ଅବକାରୀ ବିଭାଗ ର କାମ ପୋଲିସ କରୁଛି । ଏନେଇ ପାଟଣାଗଡ ଉପଖଣ୍ଡ ଅବକାରୀ ଅଧିକାରୀ ଏସ ଆଇ ସତ୍ୟନାରାୟଣ ଦାସଙ୍କ ମତାମତ ଲୋଡିବା ରୁ ତାହା ସମ୍ଭବ ହୋଇନଥିଲା । ଏନେଇ ଉପରିସ୍ଥ ଅଧିକାରୀ ଧ୍ୟାନ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

Comments are closed.