ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ
ଭୁବନେଶ୍ୱର: ଏପ୍ରିଲ ୧୮: ଓଡ଼ିଶାର ଶ୍ରେଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର୍ ଗଣେଶର ଲାଲ୍ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
ଟୁଇଟର୍ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଶୋକ ପ୍ରକାଶ କରି ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଙ୍ଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।
ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି, ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ । ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି ।
ରବିବାର ବିଳମ୍ବିତ ରାତ୍ରିରେ ସତ୍ୟନଗର ସ୍ଥିତ ବାସଭବନରେ ଶ୍ରୀ କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଜି ପୁରୀଠାରେ ଥିବା ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।
ପୁରୀଠାରେ ଜନ୍ମିତ ପ୍ରଫୁଲ୍ଲ କର ଏକାଧାରାରେ ଜଣେ ଓଡ଼ିଆ ସଙ୍ଗୀକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ଥିଲେ । ସେ ୭୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ୮ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ପ୍ରାପ୍ତ କରିଥିଲେ । ତାଙ୍କ କୃତିତ୍ୱ ପାଇଁ ତାଙ୍କୁ ୨୦୧୫ ପଦ୍ମଶ୍ରୀ ସମ୍ମାନ, ୨୦୦୪ରେ ରାଜ୍ୟ ସଂସ୍କୃତି ବିଭାଗର ଜୟଦେବ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାମଡେମୀ ପୁରସ୍କାର, ଉତ୍କଳ ସଂସ୍ପୃତି ବିଦ୍ୟାଳୟ ତରଫରୁ ଡି.ଲିଟ୍ , କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସାରଳା ସମ୍ମାନ ଆଦି ସମ୍ମାନରେ ମଣ୍ଡିତ କରାଯାଇଛି ।

Comments are closed.