ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା । ଆଜି କଲମ ଛାଡ (ପେନ ଡାଉନ) ଆନ୍ଦୋଳନ କରୁଛନ୍ତି ରାଜ୍ୟର ସମସ୍ତ ଆଇନଜୀବୀ । ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ସହ ଦୋଷୀଙ୍କୁ ଗିରଫ ଓ ଘଟଣାର ନ୍ୟାୟିକ ତଦନ୍ତ କରାଯିବାକୁ ବାର୍ କାଉନସିଲ ପକ୍ଷରୁ ଏକ ବିବୃତି ଜରିଆରେ ଦାବି କରାଯାଇଛି। ଆଇନଜୀବୀ ତଥା ବିଜେପି ନେତାଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ ।
ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ ସମୟସୀମିତ ଭାବରେ ସମାପ୍ତ ହେଉ ଏବଂ ସମସ୍ତ ଅପରାଧୀ, ଷଢ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ତତ୍କାଳ ଗିରଫ କରାଯାଉ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ୪୮ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ସୁରକ୍ଷା ଏବଂ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ ପାଇଁ ଦାବି ହୋଇଛି । ଯାହା ଆଇନଜୀବୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।
ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ସୁପାରୀ କିଲର ନିୟୋଜିତ ହୋଇଥିବା ସନ୍ଦେହ କରାଯାଉଛି । ବାହାରର ୨ ଜଣ ସୁପାରୀ କିଲରଙ୍କୁ ବ୍ରହ୍ମପୁର ଡାକି ପଏଣ୍ଟ ବ୍ଲାଙ୍କରୁ ପୀତବାସଙ୍କ ଛାତିକୁ ଗୁଳି କରାଯାଇଛି । ସେହିପରି ହତ୍ୟା ପଛରେ ଗଞ୍ଜାମ ଜିଲାର ବାଲି ମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ କିମ୍ବା ବୃତ୍ତିଗତ ଶତ୍ରୁତାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ଆଲୋଚନା ହେଉଛି ା
