ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା,ଚାନ୍ଦକୁ ଆଞ୍ଜୁଳି ଟେକିବେ କୁମାରୀ

0

ଭୁବନେଶ୍ୱର : ଆଜି ପବିତ୍ର ଗଜ ଲକ୍ଷ୍ମୀ ପୂଜା ସହ କୁମାରୀ ମାନଙ୍କର ଉତ୍ସବ କୁମାର ପୂର୍ଣ୍ଣିମା । ଗାଁ ଠାରୁ ସହର ସବୁଠି ଉତ୍ସାହର ସହ ଚାନ୍ଦକୁ ଆଞ୍ଜୁଳି ଟେକିବେ କୁମାରୀ ମାନେ । ଫୁଲ ବଉଳ ବେଣୀ ଗୀତରେ ଉଛୁଳି ଉଠିବ ଗାଁ ଦାଣ୍ଡ ।

ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହେବ ପୂଜାର୍ଚ୍ଚନା ।ନୂଆ ଲୁଗାପଟା ପିନ୍ଧି କୁମାରୀ ମାନେ ସଜବାଜ ହୋଇ କୁଲାରେ ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଆଦି ୭ ପ୍ରକାର ଆଞ୍ଜୁଳି ଯୋଗାଡ଼ କରି ୭ ଥର ଅଞ୍ଜୁଳି ଟେକିଥା’ନ୍ତି । ସକାଳେ ସୂର୍ଯ୍ୟାଞ୍ଜଳି ପରେ ସନ୍ଧ୍ୟାରେ ହୁଏ ଚାନ୍ଦ ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଛି ।

ଏହି ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ଓଡ଼ିଶାରେ ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ବେଶ ପ୍ରସିଦ୍ଧ । ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ସହିତ କେନ୍ଦ୍ରାପଡା ସହର ଉତ୍ସବ ମୁଖର ହୋଇ ଉଠିଛି I ଢେଙ୍କାନାଳରେ ୯ ଦିନ ବ୍ୟାପୀ ମା’ଙ୍କର ହୋଇଥାଏ । ଏଥର ମଧ୍ୟ ୬ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଯାଏଁ ପୂଜା ଚାଲିବ । ୧୫ ତାରିଖ ବୁଧବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଏକାଠି ହୋଇ ଜୋରଦାର୍‌ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ବିଭିନ୍ନ ସଂଗଠନ ଓ କ୍ଲବ୍‌ ପକ୍ଷରୁ ୨୦ ଟି ସ୍ବତନ୍ତ୍ର ପୂଜା ମଣ୍ଡପରେ ମା’ ବିରାଜମାନ କରିବେ।

ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି। ରାମାୟଣ ବର୍ଣ୍ଣନା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ। ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ। ଓଡିଆ ପରମ୍ପରାରାରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ମା’ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ। ତେଣୁ କରି ଦୁର୍ଗାପୂଜା ପରେ ଓଡିଶାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ବେଶ ଧୂମଧାମରେ ପାଳନ କରାଯାଏ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.