ରେଳପଥ ସଂଯୋଗରୁ କୁଚିଣ୍ଡା ବଞ୍ଚିତ, ଲୋକଙ୍କ ମନରେ ଅସନ୍ତୋଷ

ସମ୍ବଲପୁର : ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରାଜ୍ୟରେ ରେଳପଥ ବିକାଶ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ସଂଚାର କରିଛି । ରେଳ ସଂଯୋଗରୁ ବଞ୍ଚିତ ହୋଇଥିବା ସମ୍ବଲପୁର ଜିଲ୍ଲାର ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ମୁଖ୍ୟାଳୟର ଅଧିବାସୀଙ୍କ ମନରେ ଏଭଳି କିଛି ଆଶା ବାନ୍ଧିଛି । ତେବେ, ନୂଆ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ବି ଅଞ୍ଚଳବାସୀଙ୍କ ବହୁଦିନର ଏହି ଦାବିକୁ ଅଣଦେଖା କରାଯାଇଛି । ଅପରପକ୍ଷରେ, କୁଚିଣ୍ଡାରେ ଟିକଟ କାଉଣ୍ଟର ପାଇଁ ସରକାରୀ ଅନୁମତି ମିଳିଥିଲେ ହେଁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ ।

ଇଂରେଜ ଅମଳରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ବାମରାଠାରେ ନିର୍ମାଣ ହୋଇଥିଲା ରେଳଷ୍ଟେସନ । ସମ୍ବଲପୁରରେ ଏକ ସ୍ୱତନ୍ତ୍ର ଡିଭିଜନ ରହିଥିବା ସତ୍ତେ୍ୱ ବାମରା ଷ୍ଟେସନକୁ ଏଥିରେ ସାମିଲ କରାଯାଇ ନାହିଁ । ବାମରାକୁ ବର୍ତ୍ତମାନ ଚକ୍ରଧରପୁର ଡିଭିଜନ ଅଧୀନରେ ରହିଛି । ଏହି ଐତିହାସିକ ଷ୍ଟେସନ ପ୍ରତି ଅବହେଳା କରାଯାଉଥିବା ନେଇ ବାରଂବାର ଆନ୍ଦୋଳନ ହେଉଥିଲେହେଁ ସରକାର ଚୁପ୍‌ ରହିଛନ୍ତି । ଏପଟେ କୁଚିଣ୍ଡା ଭଳି ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡର ମାତ୍ର ୫/୬ଟି ପଞ୍ଚାୟତ ଦେଇ ରେଳ ସଂଯୋଗ ଯାଇଛି । କୁଚିଣ୍ଡା, ଜମନକିରା ଆଦି ବ୍ଲକକୁ ରେଳସଂଯୋଗ ହୋଇପାରି ନାହିଁ । ଏହି ଦୁଇ ବ୍ଲକର ଲୋକେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ବାମରା, ଝାରସୁଗୁଡ଼ା କିମ୍ବା ସମ୍ବଲପୁର ଆସି ଟ୍ରେନ୍‌ ଧରିଥାନ୍ତି । ଦୀର୍ଘ ବର୍ଷ ହେଲା ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାମ ଚାଲିଛି । ମାତ୍ର ରେଳବାଇର ଅବହେଳା ଯୋଗୁଁ ତାହା କେବେ ସଂପୂର୍ଣ୍ଣ ହେବ, ତାହା କହି ହେଉନାହିଁ । ବାରକୋଟ-ଝାରସୁଗୁଡ଼ା ରେଳପଥ ନିର୍ମାଣ କରାଯାଇ ତାଳଚେର-ବିମଳାଗଡ଼ ରେଳପଥ ସହିତ ସଂଯୋଗ କରିବାକୁ ଦାବି ହୋଇଆସୁଛି ।

 ରେଳପଥ ସଂଯୋଗରୁ କୁଚିଣ୍ଡା ବଞ୍ଚିତ, ଲୋକଙ୍କ ମନରେ ଅସନ୍ତୋଷ

ହେଲେ ଏହି ପ୍ରକଳ୍ପ ଆଗେଇ ପାରିନାହିଁ । ବାରକୋଟ-ଝାରସୁଗୁଡ଼ା ମଧ୍ୟରେ ରେଳପଥ ନିର୍ମାଣ ହେଲେ ଦେବଗଡ଼ ଜିଲ୍ଲାବାସୀଙ୍କ ସହିତ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଏବଂ ଝାରସୁଗୁଡ଼ା ଜିଲ୍ଲାର କୋଲବିରା ଅଂଚଳବାସୀ ବି ଉପକୃତ ହୋଇପାରିବେ । ଏହାକୁ ଦୃଷ୍ଟିରେ ରଖି ଗତ ୨୦୧୪ ମସିହାରେ ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ତତ୍କାଳୀନ ରେଳମନ୍ତ୍ରୀ ଡି.ଭି.ସଦାନନ୍ଦ ଗେଡ଼ାଙ୍କୁ ପତ୍ର ଲେଖିଥିଲେ । ଶ୍ରୀ ଓରାମଙ୍କ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଶ୍ରୀ ଗେଡ଼ା ଶୀଘ୍ର ରେଳପଥ ର୍ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱସନା ଦେଇଥିଲେ । ଗତ ୨୦୧୮ମସିହାରେ ସମ୍ବଲପୁରର ପୂର୍ବତନ ଲୋକସଭା ସଦସ୍ୟ ଭବାନୀଶଙ୍କର ହୋତାଙ୍କ ନେତୃତ୍ୱରେ କୁଚିଣ୍ଡାର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ୱାକ୍ଷରିତ ଏକ ତଥ୍ୟମୂଳକ ଦାବିପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।

ଝାରସୁଗୁଡ଼ାରୁ ଦେବଗଡ଼ ପର୍ଯ୍ୟନ୍ତ ଥିବା ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ, ଏଠିକାର କୃଷକ ବିଭିନ୍ନ ପ୍ରକାର ଚାଷ କରିବା ସତ୍ତେ୍ୱ ବଜାର ଅଭାବରୁ ଉପଯୁକ୍ତ ମୂଲ୍ୟ ପାଇନଥାଏ । ରେଳ ସଂଯୋଗ ହେଲେ ଏଠିକାର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା । ଏହା ପରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ରେଳବାଇ ବୋର୍ଡକୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ସୁପାରିଶ କରିଥିଲେ । ଶ୍ରୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅଂଚଳବାସୀଙ୍କ ମଧ୍ୟରୁ ଦାବିପତ୍ର ବି ଦିଆଯାଇଥିଲା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି ସହାୟତା ଲୋଡ଼ା ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରେଳ ମନ୍ତ୍ରଣାଳୟକୁ ଚିଠି ବି ଲେଖିଛନ୍ତି । ଲୋକେ ଗତ ବଜେଟରେ ଏ ଦିଗରେ କିଛି ପଦକ୍ଷେପ ନିଆଯିବ ବୋଲି ଆଶା କରୁଥିଲେ । ମାତ୍ର, ସେଭଳି କିଛି ହେଲା ନାହିଁ । କେବଳ ଡାକ ବିଭାଗ ଜରିଆରେ କୁଚିଣ୍ଡା ସହରରେ ଏକ ଟିକଟ କାଉଣ୍ଟର ସ୍ଥାପନ ନିମନ୍ତେ ଅନୁମିତି ମିଳିଛି । ହେଲେ, ତାହା ବି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି । ପୂର୍ବତନ ବିଧାୟକ ତଥା ଚକ୍ରଧରପୁର ଡିଆରର୍ୟୁସିସି ସଦସ୍ୟ ବୃନ୍ଦାବନ ମାଝୀ ଅଂଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତ ।

Comments are closed.