ମୁମ୍ବାଇ: ଫିଲ୍ମ ‘ମିମି’ର ସଫଳତା ପରେ କୀର୍ତ୍ତି ସେନନ୍ଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରୀର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ବିବେଚନା କରାଯାଉଛି । ଏହି ଫିଲ୍ମରେ କୀର୍ତ୍ତିଙ୍କ ଅଭିନୟକୁ କେବଳ ଦର୍ଶକମାନେ ନୁହେଁ ସିନେସମୀକ୍ଷକ ମଧ୍ୟ ପ୍ରଶଂସା କରିଛନ୍ତି । ଅଭିନୟ ବ୍ୟତୀକ ତାଙ୍କର ହାଇଟ୍ ଏବଂ ଲୁକ୍ ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ନିଆରା ଅନ୍ଦାଜ ପାଇଁ ଆଜିର ସମୟରେ ସେ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି ।

ସେହିପରି କୀର୍ତ୍ତି ସେନନଙ୍କ ପାଇଁ ୨୦୨୨ ଏକ ନୂଆ ମୋଡ଼ ଆଣିପାରେ ବୋଲି କୁହାଯାଉଛି । କାରଣ ଆଗାମୀ ବର୍ଷ ୨୦୨୨ରେ କୀର୍ତ୍ତି ଏକ ନୁହେଁ ବରଂ ପାଞ୍ଚ ପାଞ୍ଚଟି ଫିଲ୍ମରେ ନଜର ଆସିବେ । ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭର ଯୋଜନା ରଖିଥିବା ମେଗା ଆକ୍ସନ ମୁଭି ‘ଗନପତ’ରେ କୀର୍ତ୍ତି ଓ ଟାଇଗର ଶର୍ଫ ଏକତ୍ର ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହା ଏକ ବିଗ୍ ବଜେଟ୍ ଫିଲ୍ମ । ଏହା ପୂର୍ବରୁ ମଧ୍ୟ ଉଭୟ ହିରୋପନ୍ଥୀ ଫିଲ୍ମରେ କାମ କରିସାରିଛନ୍ତି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେଉଛି ‘ଶେହଜାଦା’ ।

ଏଥିରେ ସେ କାର୍ତ୍ତିକ ଆୟର୍ନଙ୍କ ସହ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ଫିଲ୍ମ ‘ଅଲା ବୈଙ୍କୁଠପୁର୍ମୁଲ’ର ହିନ୍ଦୀ ରିମେକ, ଯେଉଁଥିରେ ପରେଶ ରାୱଲ, ମନୀଷା କୋଇରାଲାଙ୍କ ପରି ବଳିଷ୍ଠ କଳାକାର ସାଥିରେ ଅଭିନୟ କରୁଛନ୍ତି । ଏହା ୪ ନଭେମ୍ବର ୨୦୨୨ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । ୨୦୨୧ରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଭେଡିଆ’ରେ କୀର୍ତ୍ତି ଓ ବରୁଣ ଧୱନ ଏକାଠି ନଜର ଆସିବେ ।

୧୪ ଏପ୍ରିଲ ୨୦୨୨ରେ ସିନେମାଘରେ ରିଲିଜ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ଗତମାସରେ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଚାଲିଛି । ଖିଲାଡୀ କମ୍ ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ କୀର୍ତ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଏହା ୪ ମାର୍ଚ୍ଚ ୨୦୨୨ରେ ରିଲିଜ୍ ହେବ । ଗତ ଏକ ବର୍ଷ ଧରି ଲୋକଙ୍କ ଉତ୍କଣ୍ଠା ବଢାଉଥିବା ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ କୀର୍ତ୍ତିଙ୍କ ପାଇଁ ଏକ ବଡ଼ ଫିଲ୍ମ । କାରଣ ଏଥିରେ ବାହୁବଳୀ ଷ୍ଟାର ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ୨୦୨୧ ପରି ୨୦୨୨ ମଧ୍ୟ କୀର୍ତ୍ତିଙ୍କ ପାଇଁ କେତେ ସଫଳତା ଆଣିବ ତାହା ଦେଖିବାକୁ ବାକି ରହିଲା ।

Comments are closed.