ନୂଆଦିଲ୍ଲୀ : ଭାରତୀୟ ନୋଟ ରେ ଶ୍ରୀ ଗଣେଶ ଓ ଶ୍ରୀ ଲକ୍ଷ୍ମୀଙ୍କ ଫଟୋ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ଼୍ବାଲ । ସେ କହିଛନ୍ତି, ନୂଆ ଛପା ଯାଉଥିବା ଟଙ୍କା ଉପରେ ଯଦି ଗୋଟିଏ ପଟେ ଗାନ୍ଧିଜୀଙ୍କର ଫଟୋ ଓ ଅନ୍ୟପଟେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରୁହେ ତେବେ ଦେଶକୁ ତାଙ୍କର ଆର୍ଶୀବାଦ ମିଳିବ।
ଏକ ପ୍ରେସ ମିଟରେ କେନ୍ଦ୍ର ସରକାରଙ୍କୁ ଅପିଲ କରି କେଜ୍ରିୱାଲ କହିଛନ୍ତି, ଆମେ ସମସ୍ତେ ଚାହୁଁଛୁ ଭାରତ ବିକଶିତ ଦେଶ ହେଉ। ଭାରତ ଏକ ଧନୀ ଦେଶର ପରିଚୟ ପାଉ। ପ୍ରତ୍ୟେକଟି ପରିବାର ଧନୀ ପରିବାର ହେଉ। ଏଥିପାଇଁ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆମେ ଦେଖିଛୁ, ଯେଉଁ ଲୋକ ବ୍ୟବସାୟ କରନ୍ତି, ସେଠାରେ ସେମାନେ ଲକ୍ଷ୍ମୀ ଗଣେଶଙ୍କ ଚିତ୍ର ଲଗାଇ ରଖିଥାନ୍ତି। ତେଣୁ ଆମ କରେନ୍ସିର ଗୋଟିଏ ପଟରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରଖାଯାଉ। ଏହା ଦ୍ୱାରା ପୂରା ଦେଶ ଉପରେ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ଆଶୀର୍ବାଦ ରହିବ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଗକୁ କହିଛନ୍ତି ଯେ, ମା’ ଲକ୍ଷ୍ମୀ ସମୃଦ୍ଧିର ଦେବୀ। ସେଭଳି ଭଗବାନ ଗଣେଶ ସବୁ ବିଘ୍ନକୁ ଦୂର କରିଥାନ୍ତି। ତେଣୁ ସେହି ଦୁହିଁଙ୍କର ଫଟୋ ଲଗାଇବା ଦରକାର। ସବୁ ନୋଟ୍ ବଦଳାଇବାର କଥା କହୁନୁ, କିନ୍ତୁ ଯେଉଁ ନୋଟ୍ ନୂଆ ଛପା ହେଉଛି, ତା ଉପରେ ଏଭଳି କରାଯାଇ ହେବ ଓ ଧୀରେ ଧୀରେ ନୂଆ ନୋଟ୍ ସର୍କୁଲେସନ୍ରେ ଆସିଯିବ। ଏହା ସହିତ ସେ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ହୋଇଯାଇଛି, କିନ୍ତୁ ଦେଶ ଏବେବି ବିକାଶଶୀଳ ଦେଶ ହୋଇ ରହିଛି। ଏବେ ବି ଆମେ ଗରିବ। ଭାରତ ବିକଶିତ ଓ ଭାରତ ଧନୀ ଦେଇ ହେଉ। ଆମେ ସମସ୍ତେ ଚାହୁଁଛୁ ଯେ, ପ୍ରତି ଭାରତବାସୀ ଓ ଭାରତର ପ୍ରତି ପରିବାର ଧନୀ ହୁଅନ୍ତୁ।’
ଏହା ସହିତ ସେ ଆହୁରି କହିଛନ୍ତି ଯଦି ଇଣ୍ଡୋନେସିଆ ଏକ ମୁସ୍ଲିମ ଦେଶ। ୮୫ ପ୍ରତିଶତରୁ ଅଧିକ ଲୋକ ମୁସ୍ଲିମ ଏବଂ ୨ ପ୍ରତିଶତ ହିନ୍ଦୁ। ତଥାପି ସେଠିକାର ମୁଦ୍ରାରେ ଗଣେଶଙ୍କ ମୂର୍ତ୍ତି ରହିପାରୁଛି। ତେଣୁ ଆମ କରେନ୍ସିରେ ମଧ୍ୟ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଲଗାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ କେଜ୍ରିୱାଲ ଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ କେହି କେହି କହିଛନ୍ତି ଆଗକୁ ଗୁଜରାଟ ନିର୍ବାଚନ ଆସୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି। ତେବେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Comments are closed.