ମୁମ୍ବାଇ : ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଆଉ ନାହାନ୍ତି ବି.ଆର.ଚୋପ୍ରାଙ୍କ ଲୋକପ୍ରିୟ ଟିଭି ସିରିଏଲ ମହାଭାରତର କର୍ଣ୍ଣ । ସିରିଏଲ ମହାଭାରତରେ ’କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଟିଥିବା ବିଶିଷ୍ଟ ଅଭିନେତା ପଙ୍କଜ ଧୀର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ କ୍ୟାନସରରେ ପୀଡିତ ଥିଲେ । ପଙ୍କଜଙ୍କ ଅକାଳ ବିୟୋଗରେ ସାରା ଅଭିନୟ ଜଗତ ସ୍ତବ୍ଧ ହୋଇଯାଇଛି । ପଙ୍କଜଙ୍କ ବିୟୋଗ ନେଇ ତାଙ୍କର ଜଣେ ବନ୍ଧୁ ସ୍ପଷ୍ଟ କରିଛନ୍ତି ।
ଗତ କିଛି ମାସ ଧରି ପଙ୍କଜଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା । ସେଥିପାଇଁ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ସର୍ଜରୀ କରାଯାଇଥିଲା । ପଙ୍କଜଙ୍କ ବିୟୋଗକୁ ନେଇ ସିନେ ଓ ଟିଭି କଳାକାର ସଂଘ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ପଙ୍କଜ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ପ୍ରୋଜେକ୍ଟରେ କାମ କରିଥିଲେ । ମାତ୍ର ମହାଭାରତର ’କର୍ଣ୍ଣ’ ଭୂମିକା ତାଙ୍କୁ ପରିଚିତ କରାଇଥିଲା । ଆଜି ସନ୍ଧ୍ୟା ୪.୩୦ରେ ମୁମ୍ବାଇ ଭିଲେପାର୍ଲେ ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।
