ବଲାଙ୍ଗିର : ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଦେଶ ବିଦେଶରେ ମଧ୍ୟ କର୍ଡିର ଅନେକ ଚାହିଦା ରହିଛି । କର୍ଡିରେ ପ୍ରସ୍ତୁତ ବ୍ୟଞ୍ଜନ ହେଲେ ଭାତ ଆପେ ଆପେ ପେଟକୁ ଚାଲିଯାଏ । କରଡି୍ ଲେଥା ହେଉକି କର୍ଡି ପିଠା । ଏମିତି ହାତ ଗଣତି ବ୍ୟଞ୍ଜନ ଜାଣିଥିବେ ଲୋକେ । କି;ୁ ଏହି କର୍ଡିରୁ ଶହେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଇପାରିବ ତାହା ଆଶ୍ଚର୍ଯ୍ୟଜନକ ।
ଏହାକୁ ସତସତିକା ରୂପ ଦେଇଛନ୍ତି ବଲାଙ୍ଗିରରେ ଥିବା ରାଜ୍ୟ ସରକାରଙ୍କ ହୋଟେଲ ମ୍ୟାନେଜମେଣ୍ଟ ଇନ୍ଷଫିଚ୍ୟୁଟରେ(ଏସ୍ଆଇଏଚ୍ଏମ୍) ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ କର୍ଡିରେ ପ୍ରସ୍ତୁତ ବ୍ୟଞ୍ଜନ ମଙ୍ଗଳବାର ଏସ୍ଆଇଏଚ୍ଏମରେ ପ୍ରଦର୍ଶିତ ହୋଇଥିଲା ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଉପସ୍ଥିତ ସମସ୍ତେ ।
କର୍ଡି ଖଟା, କର୍ଡି ଆଳୁ ପିଠା, କର୍ଡି ତରକାରୀ, କର୍ଡି ମିଠା ଭଳି ଭଳିକି ଭଳିକି ବ୍ୟଞ୍ଚନ ଟେବୁଲରେ ରଖାଯାଇଥିଲା । ସ୍ୱତନ୍ତ୍ର ନାଁ ବି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ । ପଦ୍ମଶ୍ରୀ ଶ୍ରୀ ନାଗ କହିଥିଲେ ଯେ, ଆମେ ଜାଣିବା ଅନୁସାରେ କର୍ଡିରେ ପ୍ରାୟ ୧୦ ପ୍ରକାର ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରେ । କି;ୁ କର୍ଡିକୁ ନେଇ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯିବା ତାଙ୍କୁ ଚକିତ କରିଛି । ଏହି ମର୍ମରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ମୁଦ୍ରାରେ ଗୀତଟିଏ ଗାଇଥିଲେ । ସେହିପରି ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କର୍ଡି ସାଧାରଣ ଲୋକଙ୍କ ଖାଦ୍ୟ ବୋଲି କୁହାଯାଏ । କି;ୁ କର୍ଡିରେ ଏତେ ପ୍ରକାର ଖାଦ୍ୟ ବ୍ୟଞ୍ଜନ ହୋଇପାରିବ ତାହା ଧାରଣା ନଥିଲା । ଧନୀ ଲୋକମାନେ ଖାଦ୍ୟ ସଉକିଆ । ତେବେ କର୍ଡିରେ ପ୍ରସ୍ତୁତ ଖାଦ୍ୟ ସେମାନଙ୍କୁ ବି ଆକର୍ଷିତ କରିବ । ସବୁବର୍ଗର ଲୋକେ କର୍ଡି ଖାଇପାରିବେ ବୋଲି ଏହି କାର୍ଯ୍ୟକ୍ରମ ଦେଖିବା ପରେ ବିଶ୍ୱାସ ବଢିଛି । କର୍ଡିକୁ ନେଇ ଭଲ ପ୍ରଚାର ପ୍ରସାର କରାଯାଇପାରିବ ମତ ଜିଲାପାଳ ଶ୍ରୀ ରାଣା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କର୍ଡିର ପ୍ରଚାର ପ୍ରସାର ଓ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରେ ତାହା ଜଣାଇବା ପାଇଁ ଏଭଳି ଏକ ପଦକ୍ଷେପ ଏସ୍ଆଇଏଚଏମ୍ ପକ୍ଷରୁ ନିଆଯାଇଥିଲା କଲେଜର ଅଧ୍ୟକ୍ଷ ସୁରେଶ ଏକନାଥ ମତ ଦେଇଛନ୍ତି ।
ସେହିପରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ବିଚାରକ ଭାବେ ଯୋଗ ଦେଇଥିବା ବରିଷ୍ଠ ଏଡଭୋକେଟ(ହାଇଦ୍ରାବାଦ) ଜିଭିଆର୍ ଏସ୍ଏସ୍ ଭରାପ୍ରସାଦ ଏଭଳି ଆୟୋଜନକୁ ଅନେକ ପ୍ରଶଂସା କରିଥିଲେ । ବାଉଁଶ ଗଜା(କର୍ଡି)ରୁ ଖାଦ୍ୟ ବ୍ୟଞ୍ଜନର ଆୟୋଜନ କଳ୍ପନା ବାହାରେ ବୋଲି ବିଚାରକ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏସ୍ଆଇଏଚ୍ଏମର ଅଧ୍ୟକ୍ଷ ଶ୍ରୀ ଏକନାଥ, ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Comments are closed.