ଦିଲ୍ଲୀ: ସେପ୍ଟେମ୍ବର ୨୮ : ଆଜି କଂଗ୍ରେସ ଦଳରେ ଦୁଇ ଯୁବ ନେତା ସାମିଲ ହେବାକୁ ଯାଉଛନ୍ତି । ସେମାନେ ହେଲେ ବାମପନ୍ଥୀ ନେତା କହ୍ନେୟା କୁମାର ଏବଂ ଗୁଜରାଟ ବିଧାୟକ ଜିଗ୍ନେସ ମେବାଣୀ । ସେମାନେ ଅପରାହ୍ନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଛି । ବହୁ ସମୟ ଧରି କହ୍ନେୟା କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ଖବର ଶୁଣିବାକୁ ମିଳୁଥିଲା । ଆଜି କଂଗ୍ରେସ ଏହି ଖବର ଉପରେ ମୋହର ଲଗାଇଛି ।
ଅନ୍ୟପକ୍ଷରେ, ଏବେ କଂଗ୍ରେସ ଦଳର କିଛି ନେତା କହ୍ନେୟା କୁମାରଙ୍କ ଦଳରେ ଯୋଗ ଦେବା ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଏହି ଦୁଇ ଯୁବନେତା କଂଗ୍ରେସରେ ଯୋଗଦେଲେ ଗୁଜୁରାଟ ଓ ବିହାରରେ କଂଗ୍ରେସର ସ୍ଥିତି ବଦଳିବ ବୋଲି କିଛି ନେତା ପ୍ରକାଶ କରୁଥିଲା ବେଳେ ଆଉ କିଛି ନେତା ଭାବୁଛନ୍ତି ସେମାନେ ଆସିଲେ ଦଳରେ ସେମିତି କିଛି ପରିବର୍ତ୍ତନ ହେବାର ନାହିଁ । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ମନୀଷ ତିୱାରୀ କହ୍ନେୟାଙ୍କୁ ବିରୋଧ କରିଛନ୍ତି ।
କହ୍ନେୟାଙ୍କ ଦଳରେ ଯୋଗ ଦେବା ପ୍ରସ୍ତାବକୁ ନେଇ ମନୀଷ ନିଜ ଟୁଇଟର୍ରେ ଲେଖିଛନ୍ତି- କିଛି କମ୍ୟୁନିଷ୍ଟ ନେତା ଏବେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏବେ ୧୯୭୩ ର କୁମାର ମଙ୍ଗଲମଙ୍କ ପୁସ୍ତକ ‘କମୁ୍ୟନିଷ୍ଟ ଇନ କଂଗ୍ରେସ’ର ପୃଷ୍ଟା ଓଲଟିବାକୁ ଯାଉଛିି । ସେ କହିଛନ୍ତି କି, ‘ଜିନିଷ ଯେତେ ବଦଳେ ତା’ର ଗୁଣ ପ୍ରାରମ୍ଭିକ ଗୁଣ ଆଡକୁ ଅଧିକ ବିକଶିତ ହୋଇଥାଏ । ତେଣୁ ଆଜି ପୁଣିଥରେ ମୁଁ ସେହି ବହି ପଢିବାକୁ ବାଧ୍ୟ ହେଉଛି ।’

Comments are closed.