ସୁପ୍ରିମକୋର୍ଟ ର ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ,ଶପଥ ପାଠ କରାଇଲେ ମହାମହିମ ରାଷ୍ଟ୍ରପତି
ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ସକାଳ ୧୦.୩୦ ସମୟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ । ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ପ୍ରଧାନ ବିଚାରପତି ଯିଏ କି ସୁପ୍ରିମକୋର୍ଟ ବାରରୁ ସିଧାସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି ।
ଶୁକ୍ରବାର ସିଜେଆଇ ଭାବେ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଥିଲେ ଏନ.ଭି. ରମନ୍ନା । ଆଜି ଜଷ୍ଟିସ ୟୁୟୁ ଲଳିତ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରି କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ , ଆଇନ ମନ୍ତ୍ରୀ କିରନ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରାମନା, ସୁପ୍ରିମକୋର୍ଟର ବିଚାରପତି ମାନଙ୍କ ସହିତ ଜଷ୍ଟିସ ଲଲିତଙ୍କ ପରିବାରର ୩ ପିଢ଼ି ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ତାଙ୍କ ପରିବାରର ତିନି ପିଢ଼ିଙ୍କ ମଧ୍ୟରେ ଅଛନ୍ତି ୯୦ ବର୍ଷିୟ ବାପା ଉମେଶ ରଙ୍ଗନାଥ ଲଳିତ I
ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ପତ୍ନୀ ଅମିତା ଲଳିତ ଜଣେ ଶିକ୍ଷାବିତ। ନୋଏଡାରେ ସେ ଗୋଟିଏ ସ୍କୁଲ ଚଳାଉଛନ୍ତି। ଜଷ୍ଟିସ ଲଳିତଙ୍କର ଦୁଇ ପୁଅ ହେଲେ ହର୍ଷଦ ଓ ଶ୍ରେୟାସ। ଉଭୟ ଇଞ୍ଜିନିୟରିଂ କରିଥିଲେ। ହେଲେ ଶ୍ରେୟାସ ଆଇନଜୀବୀ ଭାବେ କାମ କରୁଛନ୍ତି। ତାଙ୍କ ପତ୍ନୀ ରବୀନା ମଧ୍ୟ ଜଣେ ଓକିଲ। ହର୍ଷଦ ଗବେଷକ ଭାବେ କାମ କରୁଛନ୍ତି ଓ ସେ ନିଜ ପତ୍ନୀ ରାଧିକାଙ୍କ ସହ ଆମେରିକାରେ ରୁହନ୍ତି।
ଜଷ୍ଟିସ ଲଲିତ ୯ ନଭେମ୍ବର ୧୯୫୭ ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ I ତାଙ୍କୁ ୧୩ ଅଗଷ୍ଟ ୨୦୧୪ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ସିଧାସଳଖ ନିଯୁକ୍ତ କରାଯାଇଥିଲା । ଯିଏ କି ପୂର୍ବରୁ କୌଣସି ହାଇକୋର୍ଟରେ ବିଚାରପତି ନଥିଲେ, ସେ ଓକିଲ ଥାଇ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ଦେଶର ୧୩ ତମ ପ୍ରଧାନ ବିଚାରପତି ଏସଏମ ସିକ୍ରି ଏହି ସଫଳତା ହାସଲ କରିଥିଲେ। ବିଚାରପତି ହେବା ପୂର୍ବରୁ ଜଷ୍ଟିସ ଲଲିତଙ୍କ ନାମ ଦେଶର ସବୁଠାରୁ ବଡ ଓକିଲ ଭାବରେ ଖ୍ୟାତି ଅର୍ଜନ କରିଥିଲେ I ତାଙ୍କୁ 2G ସ୍ପେକ୍ଟ୍ରମ୍ ମାମଲାରେ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ଭାବେ ନିଯୁକ୍ତି ଦିଆଯାଇଥିଲା |

Comments are closed.