ଜଷ୍ଟିସ ସୂର୍ଯ୍ୟକାନ୍ତ ପରବର୍ତ୍ତୀ ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ କେନ୍ଦ୍ରକୁ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଗୱାଇ ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ଭାବେ ଅବସର ଗ୍ରହଣ କରିବା ପରେ ସୁପ୍ରିମ୍‌କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ। ଚଳିତ ବର୍ଷ ମେ ୧୪ ତାରିଖରେ ଶପଥ ଗ୍ରହଣ କରିଥିବା ପ୍ରଧାନ ବିଚାରପତି ଗୱାଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି। ୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ଅଧିକ ହେବ। ସେ ଫେବ୍ରୁଆରି ୯, ୨୦୨୭ରେ ଅବସର ନେବାର କାର୍ଯ୍ୟକ୍ରମ ରହିଛି। ୧୯୬୨ ମସିହା ଫେବ୍ରୁଆରି ୧୦ ତାରିଖରେ ହରିୟାଣାର ହିସାର ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ବିଚାରପତି ହୋଇଥିଲେ। ଧାରା ୩୭୦ ଉଚ୍ଛେଦ, ବାକ୍ ସ୍ବାଧୀନତା, ଗଣତନ୍ତ୍ର, ଦୁର୍ନୀତି, ପରିବେଶ ଓ ଲିଙ୍ଗଗତ ସମାନତା ଆଦି ଅନେକ ମାମଲାର ବିଚାର କରି ସେ ଐତିହାସିକ ରାୟ ଦେଇଛନ୍ତି। ଉପନିବେଶବାଦୀ ଯୁଗର ଦେଶଦ୍ରୋହ ଆଇନକୁ ସ୍ଥଗିତ ରଖିଥିବା ଖଣ୍ଡପୀଠରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଥିଲେ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.