ନୂଆଦିଲ୍ଲୀ: ଜୁନ ୨୩: ଜୁଲାଇ ୧ ତାରିଖରୁ ମୋଦି ସରକାର ନେଇପାରନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କାଯ୍ୟାଳୟର କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ନିଆଯାଇପାରେ । କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡିବ । ଲେବର କୋଡ ନିୟମ ୧ ଜୁଲାଇରୁ ଲାଗୁ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏ ବାବଦରେ କୌଣସି ଅଧିକାରୀକ ସୂଚନା ଆସି ନାହିଁ । ଯଦି ସରକାରଙ୍କ ନିୟମ କାର୍ଯ୍ୟକାରୀ ହୁଏ ତେବେ କମ୍ପାନୀମାନେ କର୍ମଚାରୀଙ୍କ କାର୍ଯ୍ୟଘଣ୍ଟା ୮ରୁ ୧୨ ଘଣ୍ଟାକୁ ବଢାଇ ପାରନ୍ତି । ଏଥିଲାଗି କମ୍ପାନୀ ପ୍ରାଧିକୃତ ହେବେ । ତେବେ ଦୈନିକ ଅଧିକ ୪ ଘଣ୍ଟା କାର୍ଯ୍ୟ ଲାଗି ସପ୍ତାହରେ ଅଧିକ ଦିନଟିଏ ଛୁଟି ମଧ୍ୟ ମିଳିବ । ଅର୍ଥାତ କର୍ମଚାରୀ ସପ୍ତାହରେ ଦିନକ ସ୍ଥାନରେ ଅଧିକ ଆଉ ଦିନେ ଅର୍ଥାତ ୩ ଦିନ ଛୁଟି ପାଇବେ । ସପ୍ତାହରେ କର୍ମଚାରୀ ୪ ଦିନ ୧୦ରୁ ୧୨ ଘଣ୍ଟା କାର୍ଯ୍ୟ କରିବେ । ନୂଆ ଶ୍ରମ ଆଇନର ଅର୍ଥ ଏହା ହେବ ଓଭର ଟାଇମ ଅଧିକତମ ୫୦ ଘଣ୍ଟାରୁ ବଢି ୧୨୫ ଘଣ୍ଟା ହୋଇଯିବ । ସେହିପରି ନୂଆ ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କ ବେତନ ହ ୍ରାସ ହେବ ଓ ଭବିଷ୍ୟ ନିଧି ବଢିବ । ଏଥିରେ କର୍ମଚାରୀଙ୍କ ମୋଟ ବେସିକ ସାଲାରି ପିଏଫ ୫୦ ପ୍ରତିଶତରୁ ଅଧିକ ହେବ । ଫଳରେ ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନା ବଦଳିଯିବ । ବେସିକ ସାଲାରୀ ବଢିବା ଯୋଗୁ କର୍ମଚାରୀଙ୍କ ପିଏଫ ଓ ଗ୍ରାଚ୍ୟୁଟି ବାବଦ ଡିଡକ୍ସନ ଅଧିକ ହେବ । ପ୍ରୋଭିଡେଣ୍ଟ ଫଣ୍ଡ ବାବଦ ଦେୟ ବଢିବା ଯୋଗୁ କର୍ମଚାରୀ ପ୍ରତିମାସରେ ହାତରେ ନେଉଥିବା ଦରମା ହ ୍ରାସ ହେବ । ଫଳରେ କର୍ମଚାରୀଙ୍କ ଅବସରରେ ମିଳିବାକୁ ଥିବା ଅର୍ଥର ପରିମାଣ ବଢିଯିବ । କର୍ମଚାରୀଙ୍କ ଅବସର ପର ଜୀବନ ସୁଖମୟ ହେବ । ଅପରପଟେ କର୍ମଚାରୀଙ୍କ ପିଏଫ ବାବଦ ଦେୟ ବଢିବା ଯୋଗୁ କମ୍ପାନୀଙ୍କ ବ୍ୟୟ ମଧ୍ୟ ବଢିବ । କାରଣ କମ୍ପାନୀଙ୍କୁ କର୍ମଚାରୀଙ୍କ ପିଏଫରେ ଯୋଗଦାନ ପରିମାଣ ବଢିଯିବ । ଯାହାର ସିଧା ପ୍ରଭାବ କମ୍ପାନୀର ବାଲାନ୍ସ ସିଟ୍ ଉପରେ ପଡିବ । ଦେଶରେ ଲେବର କୋଡ ନିୟମ ଲାଗୁ ହେବା ଯୋଗୁ ନିବେଶ ପ୍ରୋତ୍ସାହନ ମିଳିବ । ସେହିପରି ନିଯୁକ୍ତି ଲାଗି ଅଧିକରୁ ଅଧିକ ଅବସର ମଧ୍ୟ ସୃଷ୍ଟି ହେବ । ଶ୍ରମ ଆଇନ ଦେଶର ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏ ପର୍ଯ୍ୟନ୍ତ ଦେଶର ୨୩ଟି ରାଜ୍ୟ ନୂଆ ଶ୍ରମ ଆଇନ ନିମନ୍ତେ ରୁଲସ ଓ ରେଗୁଲେସନ ପ୍ରସ୍ତୁତ କରିସାରିଲେଣି । ସଂସଦରେ ମଧ୍ୟ ଏଥି ଲାଗି ଆଇନ ଗୃହୀତ ହୋଇ ସାରିଛି । ଏବେ କେବଳ ଅଧିସୂଚନା ଜାରି ହେବାକୁ ରହିଛି । ଏ ବାବଦରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିବା ପରେ ରାଜ୍ୟ ସରକାର ମଧ୍ୟ ଅଧିସୂଚନା ଜାରି କରିବେ । ଏହା ପରେ ନିୟମ ରାଜ୍ୟରେ ମଧ୍ୟ ଲାଗୁ ହୋଇଯିବ ।

Comments are closed.