ଝାରସୁଗୁଡ଼ା : ସେପ୍ଟେମ୍ବର ୧୭: ସରକାରୀ ଅଧିକାରୀଙ୍କ ସେ୍ୱଚ୍ଚାଚାରୀତା କାରଣରୁ ଜିଲ୍ଲାରେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛି ଜିଲ୍ଲା ସଂସ୍କୃତି ବିଭାଗ । ଏହି ବିଭାଗରେ ଜଣେ ନିୟମିତ ଜିଲ୍ଲା ସଂସ୍କୃତି ଅଧିକାରୀ ନାହାନ୍ତି । ଅନିଚ୍ଚାକୃତ ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୀର୍ଘ ବର୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଫଳରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି ହେଉଥିବା ନିର୍ଦ୍ଦେଶନାମାର କାର୍ଯ୍ୟକାରିତାରେ ଜିଲ୍ଲା ସଂସ୍କୃତି ବିଭାଗ ବିଫଳ ରହିଛି । ଫଳସ୍ୱରୂପ ଜିଲ୍ଲା ସଂସ୍କୃତି ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟିଛି । ଦେଢ ବର୍ଷରୁ ଉର୍ଦ୍ଧ୍ୱ ହେଲା ଭାଗବତ ଟୁଙ୍ଗି ପୁନରୁଦ୍ଧାର ପାଇଁ ଉଦ୍ଧିଷ୍ଟ ପ୍ରାୟ ୩୩ ଲକ୍ଷ ଟଙ୍କା ଏଯାଏଁ ଆବଣ୍ଟିତ ନହୋଇ ପଡ଼ି ରହିଛି । ଯାହାକି ଜିଲ୍ଲାର ସଂସ୍କୃତି ଏବଂ କଳାପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବାରେ ଲାଗିଛି ।
ଗତ ୨୦୧୧-୧୨ ମସିହାରୁ ଅନ୍ୟ ଜିଲ୍ଲା ପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଭାଗବତ ଟୁଙ୍ଗିଗୁଡ଼ିକର ପୁନରୁଦ୍ଧାର ସହ ଗାଁ ଗାଁରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ସର୍ଭେ କରାଯାଇ କେଉଁ ସବୁ ଗାଁରେ ଭାଗବତ ପାଠ କରାଯାଉଛି ଏବଂ ଭାଗବତ ଟୁଙ୍ଗି ରହିଛି ତାହାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ୫ଟି ଯାକ ବ୍ଲକରେ ଭାଗବତ ଟୁଙ୍ଗିକୁ ନେଇ ବିଡିଓ ମାନଙ୍କୁ ଗତ ୨୦୧୩ ମସିହାରେ ଜିଲ୍ଲାପାଳ ରିପୋର୍ଟ ମାଗିଥିଲେ । କେତେକ ବ୍ଲକରେ ସମସ୍ତ ଗାଁରେ ଭାଗବତ ଟୁଙ୍ଗି ଥିବା ଏବଂ ଭାଗବତ ପାଠ ହେଉଥିବାର ଭ୍ରମାତ୍ମକ ରିପୋର୍ଟ ଦେବାକୁ ବିଡିଓ ମାନେ ପଛାଇ ନ ଥିଲେ । ମାତ୍ର ଅନୁସନ୍ଧାନ ପରେ ଅନେକ ଗାଁରେ ଭାଗବତ ଟୁଙ୍ଗି ନ ଥିବା ଏବଂ ଭାଗବତ ପାଠର ପରମ୍ପରା ବଞ୍ଚି ନଥିବା ଦେଖା ଯାଇଥିଲା । କେତେକ ସ୍ଥାନରେ ଭାଗବତ ପାଠ ହେବା ସହ ଗୁଡ଼ି ଘର ଏବଂ ଭାଗବତ ଘର ମଧ୍ୟ ରହିଥିବାର ଦେଖା ଯାଇଥିଲା । ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସୁରଙ୍ଗ ପଧାନଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ଲଖନପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଭାଗବତ ଟୁଙ୍ଗି ଥିବା ଜଣା ପଡ଼ିଥିଲା । ପରବର୍ତୀ ସମୟରେ ଆହୁରି ୧୮ଟି ଭାଗବତ ଟୁଙ୍ଗିକୁ ସ୍ୱୀକୃତି ମିଳିଛି । ଲଖନପୁର ବକ୍ଲରେ ସମୁଦାୟ ୫୦ଟି ଭାଗବତ ଟୁଙ୍ଗି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୦ଟିକୁ ଦଶ ହଜାର ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ମାଇକସେଟ୍ ଏବଂ ୧୫ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି । ପରବର୍ତୀ ସମୟରେ ଆହୁରି ୨୫ ହଜାର ଟଙ୍କା ପ୍ରଦାନ ଲାଗି ବ୍ୟବସ୍ଥା ହେବା ସହ ଅନୁଦାନ ଅର୍ଥ ଜିଲ୍ଲା ସ୍ତରରେ ପହଞ୍ଚି ସାରିଥିବା ବେଳେ ତାହା ଏଯାଏଁ ଭାଗବତ ଟୁଙ୍ଗିଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ଲଖନପୁର ବ୍ଲକ ଏବଂ ଝାରସୁଗୁଡ଼ା ବ୍ଲକର ୩୨ଟି ଭାଗବତ ଟୁଙ୍ଗି ମଧ୍ୟରୁ ୩୦ଟିର ବ୍ୟାଙ୍କ ଆକାଉଣ୍ଟ ଖୋଲା ସରିଛି ।

Comments are closed.