ଦିଲ୍ଲୀ: ମେ ୨୬: ଆସନ୍ତା ମାସ ୧୦ ତାରିଖରେ ୟୁପି ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟ ରାଜ୍ୟର ଶାସକ ଦଳ ଓ ବିରୋଧ ଦଳର ପ୍ରାର୍ଥୀ କେଉଁମାନେ ହେବେ ସେ ନେଇ ରାଜନୀତି ପରିବେଶ ଚଳଚଞ୍ଚଳ ହୋଇଠିଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟରାଜ୍ୟସଭା ନିର୍ବାଚନ ନିମନ୍ତେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ ତରଫରୁ ଜୟନ୍ତ ଚୌଧୁରୀ ପ୍ରାର୍ଥୀ ଭାବେ ଚୟନ ହେବେ । ଏନେଇ ଆଜି ସମାଜବାଦୀ ଦଳର ମୁଖିଆ ଅଖିଳେଶ ଯାଦବ ତାଙ୍କ ନାମ ଘୋଷଣା କରିଛନ୍ତି ।
ରାଜ୍ୟସଭା ନିମନ୍ତେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍ ଯାଦବ ପ୍ରାର୍ଥିନୀ ହେବେ ବୋଲି ପୂର୍ବରୁ ଖବର ଶୁଣାଯାଉଥିଲା ବେଳେ ଜୟନ୍ତଙ୍କୁ ମୁଖିଆ ଅଖିଳେଶ ମନୋନୀତ କରିଥିଲେ ।
ଜୟନ୍ତଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଅଖିଳେଶ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ମତଭେଦ ଥିଲା । ଅଖିଳେଶ ତାଙ୍କୁ ସମାଜବାଦୀ ପାର୍ଟି ତରଫରୁ ରାଜ୍ୟସଭାକୁ ପଠାଇବାକୁ ଚାହୁଁଥିଲେ । ହେଲେ ସମାଜବାଦୀ ପାର୍ଟିର ସମର୍ଥନରେ ସେ ନିଜ ଦଳ ଆର୍ଏଲ୍ଡି ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜୟନ୍ତ ଅଡ଼ି ବସିଥିଲେ ସୂଚନା ରହିଛି ।
ଅନ୍ୟପକ୍ଷରେ, ଗତକାଲି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ଜାଭେଦ ଅଲି ଖାଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାହା ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ଆଇନଜୀବୀ କପିଲ୍ ସିବଲ୍ ମଧ୍ୟ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସୂଚନା ଥାଉଯେ, ଜୁନ୍ ୧୦ ତାରିଖରେ ରାଜ୍ୟସଭା ନିମନ୍ତେ ୧୫ଟି ରାଜ୍ୟରୁ ୫୭ଟି ଆସନ ପାଇଁ ନିର୍ବାଚନ କରାଯିବ ଏବଂ ସେଥିରୁ ୧୧ଟି ଆସନ ଉତ୍ତର ପ୍ରଦେଶରେ ରହିଛି ।
Comments are closed.