ନୂଆପଡା : ନୂଆପଡା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ସ୍ବର୍ଗତଃ ଢୋଲିଆ ପରିବାରର ପ୍ରାର୍ଥୀଙ୍କୁ ନେଇ ଦୁଇ ପ୍ରମୁଖ ଦଳ ମଧ୍ୟରେ ଛକା ପଞ୍ଜା ଲାଗି ରହିଥିବାବେଳେ ,ବିଜେଡ଼ିକୁ ନିରାଶ ହେବାକୁ ପଡିପାରେ । କାରଣ ଆଜି ପଦ୍ମ ଧରିବାକୁ ଯାଉଛନ୍ତି ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଏନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ବିଜେପିରେ ମିଶିଲେ ନୂଆପଡା ପାଇଁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।
ବିଜେଡିର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳିନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିବା ମଧ୍ୟ କୁହାଯାଉଛି। ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାନୁସାରେ, ୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବୃହତ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି। ୨୦୨୪ ନିର୍ବାଚନ ପରେ ନୂଆପଡାରେ ପ୍ରଥମ ଉପନିର୍ବାଚନ ହେଉଥିବାରୁ ଦଳ ଏହାକୁ ଗୁରୁତ୍ଵ ଦେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଦଳ ଓ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡାବାସୀଙ୍କ ଭଲ ପାଇବା ଅତୁଟ ରହିବ ବୋଲି ବିଜେଡି କହୁଥିଲା । ତେବେ ଯଦି ଆଜି ଜୟ ଢୋଲକିଆ ବିଜେପି ମିଶନ୍ତି ଏହି ଆସନରୁ ବିଜେଡିର ଜିତିବା ଆଶା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି ।
