ଜମନକିରା : ଗ୍ରୀଷ୍ମର ପ୍ରଚଣ୍ଡ ପ୍ରଭାବ ଯୋଗୁଁ ସମସ୍ତ ଅଞ୍ଚରେ ପାଣିର ସ୍ରୋତ କମିବାକୁ ଲାଗିଛି । ଫଳରେ ଲୋକେ ପାଣି ପାଇଁ ଡହକ ବିକଳ ହେଉଥିବା ଦେଖା ଯାଉଛି । ପାଣି ସମସ୍ୟା ପାଇଁ ଲୋକେ ବନ୍ଧ ପୋଖରୀର ଗୋଳିଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ଉପୁଜିଛି ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଠେନଗୁଡା କଣ୍ଟାପଡ଼ାରେ । ଉତ୍କଟ ପାଣି ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଉକ୍ତ ପଡ଼ାରେ ୮ ଟି ପରିବାର ଏବଂ ୪୦ ରୁ ଉର୍ଦ୍ଧ ଜନସଂଖ୍ୟା ଅଛି । ପଡ଼ାରେ କେବଳ ଗୋଟାଏ ନଳକୂପ ଥିବା ବେଳେ ନଳକୂପଟି ଦୀର୍ଘ ୪ ମାସ ହେବ ଅଚଳ ହୋଇ ପଡ଼ିଛି ।
ତେବେ ଅଚଳ ପୂର୍ବରୁ ନଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ ବ୍ୟବହାର ଯୋଗ୍ୟ ନଥିବା ନେଇ ପଡ଼ାବାସୀ ଅଭିଯୋଗ କରିଛନ୍ତି । ପଡ଼ାବାସୀଙ୍କ କହିବା ଅନୁଯାୟୀ, ଉକ୍ତ ନଳକୂପରୁ ଯେଉଁ ପାଣି ବାହାରୁଥିଲା ତାହା ବ୍ୟବହାର ଯୋଗ୍ୟ ନଥିଲା । ଯାହା ଫଳରେ ସେମାନେ ୫ଶହ ମିଟର ଦୂର ପୋଖରୀକୁ ଯାଇ ପାଣି ଆଣି ବ୍ୟବହାର କରୁଥିଲେ । ସେଠାକାର ପାଣି ମଧ୍ୟ ଅନୁରୂପ ଭାବେ ଖରାପ ସତ୍ତେ୍ୱ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା କହିଛନ୍ତି । ଯାହା ଫଲରେ ନାନାଦି ରୋଗର ଶିକାର ହୋଇଛନ୍ତି । ପଡ଼ା ପାଖ ରେଞ୍ଜ ଅଫିସକୁ ଲାଗି ଏକ ନଳକୂପ ରହିଥିବା ବେଳେ ଦୂରତା ଅଧିକ ଅଛି । ଯାହାକି ସବୁ ସମୟରେ ପାଣି ଆଣିବା ସମ୍ଭବ ହୋଇନଥାଏ । ତେଣୁ ବାଧ୍ୟ ହୋଇ ପଡ଼ାବାସୀଙ୍କୁ ଅଧିକ ରାସ୍ତା ରେଞ୍ଜ ଅଫିସକୁ ଯାଇ ପାଣି ଆଣିବାକୁ ପଡୁଛି । ଉପାୟ ଶୂନ୍ୟ ହୋଇ ପଡ଼ାବାସୀଙ୍କୁ ୫ ଶହ ମିଟର ପୋଖରୀକୁ ଯାଇ ଗୋଳିଆ ପାଣିକୁ ଖାଇବା ଓ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି ।
ନୂତନ ନଳକୂପ କିମ୍ବା ପାଣି ଟ୍ୟାଙ୍କର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ଥର ଅଭିଯୋଗ କରାଯାଇଥିବା ସତେ୍ୱ ପ୍ରତିକାର କରାଯାଇ ନାହିଁ । ପଦକ୍ଷେପ ନିଆ ଯାଉନଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତୁରନ୍ତ ପାଣିର ସମସ୍ୟା ଦୂର କରାନଗଲେ ପଞ୍ଚାୟତ କାର୍ଯ୍ୟାଳୟରେ ଧାରଣାରେ ବସିବୁ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ଭୋଜପୁର ସରପଞ୍ଚ କସ୍ତୁରୀ ପାତ୍ରଙ୍କୁ ଯୋଗାଯୋଗ କରି ପଚାରିବାରୁ ୨/୩ଦିନ ମଧ୍ୟରେ ନଳକୁପକୁ ସଜଡ଼ା ଜିବ ଏବଂ ନୂତନ ନଳକୂପ ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ।

Comments are closed.