ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନର ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ୍ ବୈଠକରେ ଜଳଦ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହୋଇଛି । ଏହାପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ତାଙ୍କ ନାମ ପଠାଯାଇଥିବା ସୂଚନା ମିଳଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ରାଜ୍ୟ ମୁଖ୍ୟ ସଚୂନା କମିଶନର ସୁନୀଲ ମିଶ୍ର ଗତ ମାସରେ ଅବସର ନେଇଥିଲେ । ତାଙ୍କ ପରେ ଏହି ପଦବୀ ଖାଲି ପଡିଛି । ଏହି ପଦବୀ ସକାଶେ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ମନୋନୀତ କରିଥିଲେ । ସେମାନେ ହେଲେ- ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଏବଂ ଆଇପିଏସ୍ ଏମ୍.ଅକ୍ଷୟ ।
ସୂଚନା ଥାଉଯେ, ଗତ ଜୁନ୍ ମାସ ୩୦ ତାରିଖରେ ତାମିଲନାଡୁ ଡିଜି ପଦରୁ ଜଳଦ ତ୍ରିପାଠୀ ଅବସର ନେଇଛନ୍ତି । ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଚେନ୍ନାଇ ପୋଲିସ କମିଶନର ଭାବେ ବହୁତ ଉଲ୍ଲେଖନୀୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ୨୦୦୮ ମସିହାରେ ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Comments are closed.