ଜେଲ ବିଭାଗର ବଡ଼ ନିଷ୍ପତ୍ତି:କୋହଳ ହେବ କଏଦୀଙ୍କ ସଜ୍ଜା

ଭୁବନେଶ୍ୱର:ଚଳିତ ମାସ ୧୦ ତାରିଖରେ ପାଳିତ ହେବ ଜେଲ୍‌ ପ୍ରତିଷ୍ଠା ଦିବସ। ଏହାକୁ ଦୃଷ୍ଟିରେ ରଖି ଜେଲ୍‌ ବିଭାଗ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି। ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହ‌ି କଏଦୀମାନଙ୍କ ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍‌ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଜେଲ୍‌ ମାନୁଆଲ୍‌ ରୁଲ୍‌ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍‌ ଡିଜିଙ୍କର ରହିଛି। ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ର‌ରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍‌ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ।
ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫ ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କୁ ଏହି ସୁବିଧା ମିଳିବ। ଏହା ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ଏକ ବଡ଼ କାମ ହେବ । ଏହାଦ୍ବାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି ବୋଲି ଜେଲ ଡିଜି କହିଛନ୍ତି।

Govt

Comments are closed.