ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ :ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ। ଆଇନ ଶୃଙ୍ଖଳା କାରଣରୁ ଆଜି ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳରେ ଇଣ୍ଟର ନେଟ ସେବା ବନ୍ଦ ରହିଛି । ଏହା ସହିତ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।

ସୂଚନାନୁସାରେ,ଗୋ – ଚାଲାଣକୁ ନେଇ ମେ’ମାସ ୩୦ ତାରିଖରେ ଭଦ୍ରକ ଜିଲ୍ଲା କଷଟି ଓ ତୁଳସୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ତେବେ ଏହି ଘଟଣାରେ ମଧ୍ୟସ୍ଥି କରିବାକୁ ଯାଇଥିବା କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୫୦ରୁ ଅଧିକ ସଂଖ୍ୟାଲଘୁ ଯୁବକ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ସନ୍ତୋଷଙ୍କୁ ଚିକିତ୍ସାପାଇଁ ପ୍ରଥମେ ଭଦ୍ରକ ଡାକ୍ତରଖାନା ଏବଂ ପରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୀର୍ଘ ୧୧ ଦିନ ଧରି ଚିକିତ୍ସାଧୀନ ଥିବାବେଳେ ବୁଧୁବାର ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ଗାଁରେ ପହଞ୍ଚିବା ପରେ ପୁଣି ଥରେ ଉତ୍ତେଜନା ଦେଖାଦେଇଥିଲା । ଏଥିପାଇଁ ବୁଧବାରଠାରୁ ଜିଲ୍ଲା ଏପସିଙ୍କ ନିର୍ଦ୍ଦେଶରେ ପୁଲିସ ଛାଉଣି କରାଯାଇଛି । କଷଟି,ତୁଳସୀପୁର ଏବଂ ଗୁଜିଦରଡ଼ା ଅଞ୍ଚଳରେ ୪ ପ୍ଲାଟୁନ୍‌ ଫୋର୍ସ ଓ ୧୦ ଜଣ ବଛାବଛା ଅଧିକାରୀ ନିୟୋଜିତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାକୁ ଆଖିରେ ରଖି ଭଦ୍ରକରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ଗୁରୁବାର ତାଙ୍କର ପୈତୃକ ଘର ତିହିଡ଼ି ବ୍ଲକର କୁବେରା ପଞ୍ଚାୟତ ଅନ୍ତର୍ଗତ କଷଟି ଗ୍ରାମକୁ ଅଣାଯିବ । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅନ୍ୟପଟେ ଏହି ଘଟଣାର ମୁଖ୍ୟଅଭିଯୁକ୍ତଙ୍କ ମଧ୍ୟରୁ ଭଦ୍ରକ ଗୁଜିଦରଡ଼ାର ସେକ୍‌ଦାମ ହୁସେନ ଓ କାଶିମୁଦ୍ଦିନ୍‌ ଖାନ୍‌ ବାହାର ରାଜ୍ୟରୁ ଧରାଯାଇଛନ୍ତି । ସେହିପରି ଏହି ଅଭିଯୁକ୍ତଙ୍କୁ ଘରେ ରଖି ଖସାଇବାରେ ସହାୟତା କରିଥିବାରୁ ନିଶ୍ଚିନ୍ତ କୋଇଲି ବସ୍ତିର ସେକ୍‌ ସଇଫୁର ରହମାନ ଏବଂ ସେକ୍‌ ସୁଜିଲଙ୍କ ସହ ୧୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।

Govt

Comments are closed.