ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର : ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ଏହା ସହିତ ସମସ୍ତ ପ୍ରକାର ସୋସିଆଲ ମିଡ଼ିଆ ଉପରେ ମଧ୍ୟ ଲାଗିଛି କଟକଣା I ଏହି କଟକଣା ଆଜି ସକାଳ ଦିନ ୧୦ ଟା ଠାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ Iଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ସୂଚନାନୁସାରେ,ଗତକାଲି ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ମୋତିଜିରା ନିକଟରେ ମସଜିଦ୍ ସାମ୍ନାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପକ୍ଷରୁ ପଥରମାଡ଼ କରାଯାଇଥିଲା । ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ଯେଉଁଥିରେ ୧୫ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ।

ପଥରମାଡ଼ରେ ଧନୁପାଲି ମହିଳା IICଙ୍କ ମୁହଁରେ ଲାଗିଛି ଆଘାତ । ଅତିରିକ୍ତ SP, ଧନୁପାଲି IIC ଓ ଟାଉନ୍ ଥାନା ଇନଚାର୍ଜ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଇକ୍ ଶୋଭାଯାତ୍ରାରେ ଯାଉଥିବା କିଛି ଯୁବକ ମଧ୍ୟ ପଥର ମାଡ଼ରେ ଆହତ ହୋଇଛନ୍ତି ।

ସେହିପରି ପଥର ମାଡ଼ରେ ଉଭୟ ଗୋଷ୍ଠୀର କେତେ ଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କେଉଁ ପରିସ୍ଥିତିରେ ହିଂସା ଆରମ୍ଭ ହେଲା, ତାହା ମଧ୍ୟ ଜଣା ପଡିନାହିଁ । ହିଂସାକାଣ୍ଡରେ ସମ୍ବଲପୁରର ଭୁତାପଡା, ସୁନାପାଲି, ମୋତି ଝରଣ ଓ ଜିଲ୍ଲା ସ୍କୁଲ ଛକ ଅଞ୍ଚଳରେ କେତୋଟି ବାଇକ ଓ କାର ଭଙ୍ଗାରୁଜା କରାଯାଇଥିବା ବେଳେ କେତେକ ସ୍ଥାନରେ ବାଇକ ପୋଡା ଯାଇଥିଲା ।

ଏହି ଘଟଣାପରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବିଭିନ୍ନ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Govt

Comments are closed.