ଭୁବନେଶ୍ୱର : ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ହେବ । ୭ ଦିନ ମଧ୍ୟରେ କମିଟି ଗଠନ କରିବା ନେଇ ନିର୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ କଠୋର ହେଲା ଉଚ୍ଚଶିକ୍ଷା ବିଭାଗ।
ଉଚ୍ଚଶିକ୍ଷା ଅନୁଷ୍ଠାମାନଙ୍କରେ ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । “ସରକାରଙ୍କ ନଜରକୁ ଆସିଛି ଯେ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଆସୁଥିବା ଅନେକ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ କୌଣସି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ।
ଯାହା ଫଳରେ କର୍ମ ସ୍ଥଳରେ ମହିଳା କର୍ମଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ନିଜ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କ ଅଭିଯୋଗକୁ ସିଧାସଳଖ ଭାବରେ ସରକାରଙ୍କ ନଜରକୁ ଅଣାଯାଇଛି । ଯାହା ମହିଳା କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଛି” ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ ।
ସୂଚନାନୁସାରେ,ଅଗଷ୍ଟ ୧୬ ତାରିଖରେ ବାଣୀବିହାର ଅର୍ଥନୀତି ବିବାଗରେ ଜଣେ ଛାତ୍ରୀଙ୍କୁ ଅର୍ଥନୀତି ଆସୋସିଏଟ ପ୍ରଫେସର ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଏହାପରେ ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଥିଲେ କୁଳପତି।

Comments are closed.