ମସ୍କୋ: ରୁଷରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨ । ବିଭିନ୍ନ କାରଣରୁ ଏହି ସମରାଭ୍ୟାସ ବିବାଦ ସୃଷ୍ଟି କରିଛି । ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ନିଜର ପ୍ରଭାବ ଦେଖାଇବାକୁ ଚାହୁଁଛି ।
ଅନ୍ୟପଟେ ଭାରତ ଏହି ସମରାଭ୍ୟାସରେ ଯୋଗ ଦେଉଥିବାରୁ ତାହାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି । ଭାରତର ଅଂଶଗ୍ରହଣକୁ ନେଇ ଆମେରିକା ଖୋଲାଖୋଲି ଅସନ୍ତୋଷ ଜଣାଇସାରିଛି । ତେବେ ଭାରତର ସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୌଣସି ଘୋଷଣା କରିନଥିଲେ ବି ଗତ ମାସରେ ଚୀନ ସେନାର ଏକ ରିପୋର୍ଟରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଦିଆଯାଇଥିଲା ।
ଏହି ସମରାଭ୍ୟାସରେ ଭାରତ, ଚୀନ, ଆର୍ମେନିଆ, ଆଜରବୈଜାନ, ବେଲାରୁଷ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକିସ୍ତାନ ଓ ମଙ୍ଗୋଲିଆ ସେନା ଯୋଗ ଦେଇଛନ୍ତି । ସମରାଭ୍ୟାସରେ ୫୦ ହଜାର ସୈନ୍ୟ, ୫ ହଜାର ଯୁଦ୍ଧ ସରଞ୍ଜାମ,୧୪୦ଟି ଲଢୁଆ ବିମାନ, ୬୦ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ । ସାମରିକ ବିଶେଷଜ୍ଞମାନେ ଏହି ସମରାଭ୍ୟାସକୁ ବେଶ ଗୁରୁତ୍ୱ ଦେଉଛନ୍ତି ।
କାରଣ ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ତାଇୱାନକୁ ନେଇ ଚୀନ ସମରାଭ୍ୟାସ ଜାରି ରଖିଛି । ଏପରିପ୍ରେକ୍ଷୀରେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ଦର୍ଶାଇବାକୁ ଚାହୁଁଛି ଯେ ସେ ବିଶ୍ୱରେ ଏକୁଟିଆ ନାହିଁ ଓ ତା ପାଖରେ ଯଥେଷ୍ଟ ଯୁଦ୍ଧ ସରଞ୍ଜାମ ଅଛି ।

Comments are closed.