ମୁମ୍ବାଇ: ବଲିଉଡ୍ ଫିଲ୍ମରେ ଅନେକ ଅଭିନେତ୍ରୀ ରାଜକୁମାରୀ ଏବଂ ରାଣୀ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ମଧ୍ୟ ଜଣେ ରାଜକୁମାରୀ । ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ‘ପଦ୍ମାବତ’ରେ ମେହରୁନିମା ଚରିତ୍ରରେ ଅଦିତି ରାଓ ହାଇଦରି ଖୁବ ସୁନ୍ଦର ଅଭିନୟ କରିଥିଲେ । ଏଥିରେ ସେ ରାଣୀ ଭୂମିକାରେ ଅଭିନୟ କରିଥିଲେ । ହେଲେ ବାସ୍ତବ ଜୀବନରେ ସେ ଜଣେ ରାଜପରିବାର ସଦସ୍ୟ ଓ ରାଜକୁମାରୀ ।

ରାଜପରିବାରର ବିଳାସପୂର୍ଣ୍ଣ ଜୀବନ ଛାଡ଼ି ମାୟାନଗରୀର ରାଣୀ ସାଜିଥିବା ଅଦିତି ହାଇଦ୍ରାବାଦର ରାଜପରିବାରରେ ଜନ୍ମଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ ସେ ଅକବର ହାଇଦରିଙ୍କ ଅଣନାତୁଣୀ । ଏଥିସହ ପୂର୍ବ ଗଭର୍ଣ୍ଣର ମହମ୍ମଦ ସାଲେହ ଅକବର ହାଇଦରିଙ୍କ ଝିଆରୀ । ନିଜ ସୁନ୍ଦରତା ଏବଂ ଚମତ୍କାର ଅଭିନୟ ଜରିଆରେ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତ୍ରୀ ଏତେ ବଡ଼ ରାଜପରିବାର ସହିତ ସମ୍ପର୍କ ବୋଲି କେହି ବି କଳ୍ପନା କରିପାରନ୍ତି ନାହିଁ ।

ଅଦିତିଙ୍କ ପିତା ଏହସାନ ହାଇଦରି ଓ ମାଆ ବିଦ୍ୟା ରାୱ ମଧ୍ୟ ଚର୍ଚ୍ଚିତ ଚେହେରା ଥିଲେ । ସୂଚନା ଅନୁଯାୟୀ, ଅଦିତିଙ୍କୁ ୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ । ଏହାପରେ ଅଦିତି ତାଙ୍କ ମାଆଙ୍କ ସହ ଦିଲ୍ଲୀରେ ଆସି ରହିବାକୁ ଲାଗିଲେ । ଅଦିତି ନିପୁଣ ଅଭିନେତ୍ରୀ ସହ ସେ ଜଣେ ତାଲିମପ୍ରାପ୍ତ ଭରତନାଟ୍ୟମ ନୃତ୍ୟଶିଳ୍ପୀ । ମାତ୍ର ୬ ବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।

ବଲିଉଡ୍ରେ ପାଦ ରଖିବା ପୂର୍ବରୁ ଅଦିତି ନିଜ ଜୀବନସାଥୀ ଚୟନ କରିସାରିଥିଲେ । ୧୭ ବର୍ଷ ବୟସରେ ଅଦିତିଙ୍କ ସାକ୍ଷାତ ସତ୍ୟଦୀପ ମିଶ୍ରାଙ୍କ ସହ ହୋଇଥିଲା ଏବଂ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ୨୧ ବର୍ଷ ବୟସରେ ଅଦିତି ସତ୍ୟଦୀପଙ୍କୁ ବିବାହ କରିଥିଲେ । ହେଲେ ମାତ୍ର କେଇ ବର୍ଷ ପରେ ଉଭୟ ଅଲଗା ମଧ୍ୟ ହୋଇଯାଇଥିଲେ । ଏସମ୍ପର୍କରେ ଅଦିତି ମିଡିଆକୁ କିଛି ଜଣାଇନଥିଲେ ।

୨୦୧୩ରେ ସେ ଏକ ଇଣ୍ଟରଭୁ୍ୟରେ ଏସମ୍ପର୍କରେ ଖୁଲାସା କରିଥିଲେ । ୨୦୦୬ରେ ଅଭିନେତ୍ରୀ ଅଦିତି ମଲୟାଲମ ଫିଲ୍ମ ‘ପ୍ରଜାପତି’ ଜରିଆରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ହେଉଛି ‘ଦିଲ୍ଲୀ-୬’ ।

ଏହାପରେ ସେ ଅନେକ ହିନ୍ଦୀ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଥିଲେ, କିନ୍ତୁ କେତେକ ଫିଲ୍ମ ହିଟ୍ ହୋଇଥିବା ବେଳେ କେତେକ ପ୍ଲଫ୍ ସାବ୍ୟସ୍ତ ହୋଇଥିଲା । କଳାରେ ନିପୁଣ ଅଦିତି ସଙ୍ଗୀତ କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ଲଣ୍ଡନ, ପ୍ୟାରିସ, ନୁ୍ୟୟର୍କରେ ନିଜର କଣ୍ଠଦାନ କରିଥିଲେ, ଯାହାକୁ ସିନେପ୍ରେମୀମାନେ ଖୁବ ପସନ୍ଦ କରିଥିଲେ । ଆଗକୁ ଅଦିତି ଫିଲ୍ମ ‘ପୋନ୍ନିୟିନ ସେଲଭନ’ରେ ନଜର ଆସିବେ ।

Comments are closed.