ପାଟଣାଗଡ଼ : ପାଟଣାଗଡ଼ର ସ୍ଥାନୀୟ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କଠାରୁ ଅବକାରୀ ପୋଲିସ ୪୨ଟି ବୋତଲ କଫ ସିରପ ଜବତ କରିଛି । ଯୁବକ ଜଣକ ହେଉଛନ୍ତି, ଧୁମାଭଟା ଗ୍ରାମର ଧରଣୀଧର ପଧାନ(୪୧) ।
ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ଉପନିରୀକ୍ଷକ କଣ୍ଟାବଞ୍ଜି ଏବଂ ବଲାଙ୍ଗିର ଅବକାରୀ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଏହି ଟିମ୍ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଛପି ରହିଥିଲେ । ସନ୍ଦେହଜନକ ଭାବରେ ଆସୁଥିବା ଧରଣୀଧରକୁ ଅଟକାଇ ତାଙ୍କ ପାଖରେ ଥିବା ବ୍ୟାଗକୁ ପୋଲିସ ତଲାସୀ କରିଥିଲେ । ବ୍ୟାଗରୁ ୪୨ଟି କଫ ସିରଫ ବୋତଲ ଥିବା ଦେଖି ତାକୁ ସ୍ଥାନୀୟ କାର୍ଯ୍ୟାଳୟକୁ ଅଧିକ ପଚରାଉଚୁରା କରିବା ପାଇଁ ନେଇ ଯାଇଥିଲେ ।
ପଚରାଉଚୁରା ବେଳେ ବେଲପଡ଼ାର ତପୁ ପୁଟେଲ ନାମକ ଜନୈକ ବ୍ୟକ୍ତି ଉକ୍ତ କଫ ସିରଫ ଯୋଗାଣ କରୁଥିବା ସେ ସୂଚନା ଦେଇଥିଲେ । ପରେ ତପୁକୁ ଚିହ୍ନଟ କରିବା ପାଇଁ ଧରଣୀଧରକୁ ନେଇ ଅବକାରୀ ବିଭାଗ ବେଲପଡ଼ା ଯାଇଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜେଲ ଯାଇଥିବା ଧରଣୀଧର ୪/୫ ଦିନ ତଳେ ମୁକୁଳିଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି । ତେବେ ଧରଣୀଧରକୁ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

Comments are closed.