ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଆକ୍ରମଣ କରିଥିବା ଆକ୍ରମଣକାରୀ ଚିହ୍ନଟ । ମୁମ୍ବାଇ ପୁଲିସ ଆକ୍ରମଣକାରୀର ଭିଡିଓ ଜାରି କରିଛି । ଅଭିଯୁକ୍ତ ବିଳମ୍ବିତ ରାତିରେ ମୁମ୍ବାଇ ଖାର ସ୍ଥିତ ଗୁରୁ ଶରଣ ଆପାର୍ଟମେଣ୍ଟର ୧୨ତମ ମହଲାସ୍ଥିତ ସୈଫ ଅଲ୍ଲୀଖାନଙ୍କ ଘରେ ପଶି ଚୋରି ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା ।
ଆକ୍ରମଣକାରୀ ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ପ୍ରସ୍ଥାନ ସିଡି ଦେଇ ଅଭିନେତାଙ୍କ ଘରେ ପ୍ରବେଶ କରିଥିଲା ଏବଂ ସେଠାରେ କିଛି ଘଣ୍ଟା ଲୁଚି ରହିଥିଲା। ଏହାପରେ ଆକ୍ରମଣକାରୀ ସୈଫ ଅଲ୍ଲୀଙ୍କ ପିଲାମାନଙ୍କ କୋଠରୀରେ ପଶି ପିଲାମାନଙ୍କ ମୁଣ୍ଡ ଜାମିନ ରଖି ୧ କୋଟି ଟଙ୍କା ଦାବି କରିଥିଲା । ଏହି ସମୟରେ ପ୍ରଥମେ ଘରର ସହାୟିକାଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା । ପାଟି ଶୁଣି ସୈଫ ଅଲ୍ଲୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା କରିବା ସମୟରେ ଆକ୍ରମଣକାରୀ ତାଙ୍କୁ ଛୁରୀରେ ୬ ଥର ଆକ୍ରମଣ କରିଥିଲା । ତାଙ୍କର ସର୍ଜରୀ ମଧ୍ୟ କରାଯାଇଛି । ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରରୁ ୨/୩ ଇଞ୍ଚର ଛୁରିର ଅଂଶ ବାହାର କରାଯାଇଛି ।
ମୁମ୍ବାଇ ପୁଲିସ ଅନୁସାରେ ଆକ୍ରମଣକାରୀକୁ ବିଲ୍ଡିଂର ଷଷ୍ଠ ମହଲାରେ ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜରେ ସେ ସିଢିରୁ ଓହ୍ଲାଉଥିବା ନଜର ଆସୁଛି । ଫୁଟେଜରେ ଅଭିଯୁକ୍ତର ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଛି । ଡିସିପି ଗେଦାନ ଦିକ୍ଷିତ ଜଣାଇଛନ୍ତି କି ଆକ୍ରମଣକାରୀ ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିଲା ଏବଂ ଆକ୍ରମଣ ପରେ ସିଢିରୁ ଓହ୍ଲାଇ ଚାଲିଯାଇଥିଲା । ପୁଲିସ ଜଣାଇଛି କି ସୈଫଙ୍କ ଘରୁ ୩ ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି । ଏଥିରେ ଆକ୍ରମଣରେ ଆହତ ହୋଇଥିବା ଘରୋଇ ସହାୟିକା ମଧ୍ୟ ସାମିଲ ଅଛନ୍ତି ।

Comments are closed.