କଳାହାଣ୍ଡି : କଳାହାଣ୍ଡି ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୫ ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହି ସମୟରେ ସାକ୍ଷୀ ମାନଙ୍କୁ ପ୍ରଭାବିତ ନକରିବା ପାଇଁ ହାଇକୋଟିଙ୍କ ନିର୍ଦେଶ ରହିଛି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ି ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ଧୀମାନ୍।
ସୂଚନାନୁସାରେ,ଗତ ଜୁନ ୮ ତାରିଖରେ ଆଇଏଏସ୍ ଧୀମାନ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ବାସଭବନରେ ତନଖି କରାଯିବା ପରେ ସେଠାରୁ ୪୭ ଲକ୍ଷ ୪୭ ହଜାର ୬୦୦ ନଗଦ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ସେହିପରି ଧର୍ମଗଡ଼ କାର୍ଯ୍ୟାଳୟରେ ମଧ୍ୟ ତଲାସୀ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହା ପରେ ଜୁନ ୯ ତାରିଖରେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହା ପରେ ଜୁନ ୨୦ ତାରିଖରେ ସେ ହାଇକୋର୍ଟଙ୍କ ନିକଟରେ ଗୁହାରୀ କରିଥିଲେ । ଭିଜିଲାନ୍ସ ଦ୍ବାରା ଗିରଫ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଆଇଏଏସ୍ ଧୀମାନ ଚକ୍ମାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।