ଇନ୍ଦୋର : ହନିମୁନକୁ ଯାଇ ନବ ଦମ୍ପତି ନିଖୋଜ ହେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ନବବିବାହିତା ପତ୍ନୀ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ଏଥିରେ ସାମିଲ ଥିଲେ ପ୍ରେମିକଙ୍କ ସହିତ ୩ ଜଣ ସୁପାରୀ କିଲର । ହତ୍ୟାକାଣ୍ଡର ୭ଦିନ ପରେ ଇନ୍ଦୋରର ଯୁବ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମକୁ ଗିରଫ କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି ମେଘାଳୟ ପୋଲିସ ।
ଘଟନାନୁସାରେ,ମେ’୧୧ ରେ ଇନ୍ଦୋରର ୨୯ ବର୍ଷୀୟ ଯୁବ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ବିବାହ କରିଥିଲେ ସୋନମ । କିନ୍ତୁ ବିବାହ ପୂର୍ବରୁ ସୋନମଙ୍କର ରାଜ କୁଶୱାହା ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ରାଜ କୁଶୱାହା ସୋନମଙ୍କ ବାପାଙ୍କର ଥିବା ପ୍ଲାଏଉଡ଼ ଫ୍ୟାକ୍ଟ୍ରିରେ ଜଣେ କର୍ମଚାରୀ ଥିଲେ । କିନ୍ତୁ ସୋନମଙ୍କ ବିବାହ ରାଜାଙ୍କ ସହ ହୋଇଯିବାରୁ ସେ ଖୁସି ନଥିଲେ । ତେଣୁ ସବୁଦିନ ପାଇଁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକଙ୍କ ସହ ମିଶି ଷଡଯନ୍ତ୍ର ରଚିଥିଲେ ସୋନମ ।
ବିବାହର ମାତ୍ର ୯ଦିନ ପରେ ୨୦ ମେ ରେ ନବ ଦମ୍ପତି ବୁଲିବାକୁ ମେଘାଳୟ ଯାଇଥିଲେ । ୨୨ ମେ’ରେ ଦୁହେଁ ଶିଲଂର ଏକ ହୋମଷ୍ଟେ ରେ ରହିଥିଲେ । ପରଦିନ ୨୩ ମେ’ରେ ସେମାନେ ଚେରାପୁଞ୍ଜି ନିକଟସ୍ଥ ନଙ୍ଗ୍ରିଟ୍ ଗାଁରେ ଡବଲ ଡେକରି ଲିଭିଂ ରୁଟ୍ ବ୍ରିଜ୍ ଦେଖିବାକୁ ଯାଇଥିଲେ । ୨୩ ମେ’ଅପରାହ୍ନରେ ସୋନମ୍ ତାଙ୍କ ଶାଶୁଙ୍କୁ ଫୋନ କରି କହିଥିଲେ ଯେ ଆମେ ଜଙ୍ଗଲରେ ଅଛୁ । ସେହି ସମୟରେ ଦୁହେଁ ଶେଷ ଥର ପାଇଁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏହାପରେ ରାଜା ଏବଂ ସୋନମ ଉଭୟଙ୍କ ଫୋନ୍ ବନ୍ଦ ରହିଥିଲା । ଏହାକୁ ନେଇ ସନ୍ଦେହ ହେବାରୁ ଉଭୟଙ୍କୁ ଖୋଜିବା ପାଇଁ ଶିଲଂ ଯାଇଥିଲେ ପରିବାର । ସ୍ଥାନୀୟ ପୁଲିସରେ ଅଭିଯୋଗ ହେବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଏହି ସମୟରେ ୨୪ ମେ’ରେ ଦୁହିଁଙ୍କ ଭଡା ସ୍କୁଟର ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା । ୮ଦିନ ପରେ ଜୁନ ୨ରେ ମେଘାଳୟ ପୁଲିସ ଏକ ଜଳପ୍ରପାତରୁ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ରାଜାଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । କିନ୍ତୁ ପତ୍ନୀ ସୋନମଙ୍କର କୌଣସି ଖୋଜ ଖବର ମିଳିନଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ରାଜାଙ୍କ ମୃତଦେହରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କ ଶବ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା । ତେବେ ଏହି ଘଟଣାରେ ସୋନମଙ୍କ କୌଣସି ପତ୍ତା ନମିଳିବାରୁ ଖୋଜାଖୋଜି ଜାରି ରଖିଥିଲା ମେଘାଳୟ ପୋଲିସ ।
ଏହାପରେ ଶନିବାର ରାତିରେ ଉତ୍ତରପ୍ରଦେଶ ଗାଜିପୁରର ଏକ ‘ଢାବା’ରେ ସୋନମଙ୍କୁ ଅଚେତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଗାଜିପୁର ମେଡିକାଲ କଲେଜକୁ ନିଆଯାଇଥିଲା, ସୁସ୍ଥ ହେବାପରେ ସେ ସମସ୍ତ ତଥ୍ୟ ପୋଲିସକୁ ଦେଇ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।
ମେଘାଳୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଇଦାଶିଶା ନୋଙ୍ଗରାଙ୍ଗ କହିଛନ୍ତି ଯେ ସେମାନେ ରାତିସାରା ଚଢାଉ କରି ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଜଣେ ଉତ୍ତର ପ୍ରଦେଶରୁ ମିଳିଥିବା ବେଳେ, ଅନ୍ୟ ଦୁଇଜଣଙ୍କୁ ଇନ୍ଦୋରରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି କି ସୋନମ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କୁ ସୁପାରୀ ଦେଇଥିଲେ। ମେ ୨୩ ତାରିଖରେ ନିଖୋଜ ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ରାଜା ରଘୁବଂଶୀଙ୍କ ମୃତଦେହ ସୋମବାର ଜୁନ ୨ ତାରିଖରେ ପୂର୍ବ ଖାସି ହିଲ୍ସ୍ ଜିଲ୍ଲାର ସୋହରା ଅଞ୍ଚଳର ଏକ ଜଳପ୍ରପାତ ନିକଟରେ ମିଳିଥିଲା।
ଏହି ଘଟଣାରେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ଏକ୍ସରେ ଏକ ପୋଷ୍ଟ କରି ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।
“୭ ଦିନ ମଧ୍ୟରେ, #meghalayapolice ରାଜା ହତ୍ୟା ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି…ମଧ୍ୟପ୍ରଦେଶର ୩ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି, ମହିଳା ଆତ୍ମସମର୍ପଣ କରିଛନ୍ତି ଏବଂ ଆଉ ଜଣେ ହତ୍ୟାକାରୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି… ବହୁତ ଭଲ,” ।

Comments are closed.