ରଥ ଯାତ୍ରାରେ ପ୍ରବଳ ବର୍ଷା ସମ୍ଭାବନା,ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ୪ ଦିନ ଧରି ପ୍ରବଳ ବର୍ଷା । ବୁଧୁବାର ଓଡିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଜିଠାରୁ ୨୮ ତାରିଖ ଯାଏଁ ଲାଗିରହିବ ବର୍ଷା । ତେବେ ୨୭ ତାରିଖରେ ରଥଯାତ୍ରା ପଡୁଥିବାରୁ ଚଳିତ ରଥଯାତ୍ରାରେ ବର୍ଷାରେ ଭିଜିବେ ଶ୍ରଦ୍ଧାଳୁ ।

ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି । ଏହା ମଧ୍ୟପ୍ରଦେଶ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଯାଇଛି ।

ସେହିପରି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ସେହିଭଳି ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୬ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ। ଆସନ୍ତାକାଲି କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଏବଂ ଅନ୍ୟ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରଥଯାତ୍ରା ଦିନ ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୫ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Govt

Comments are closed.