ଭୁବନେଶ୍ୱର : ମାଓ ମୁକ୍ତ ଅଭିଯାନରେ ପୁଲିସକୁ ଆଉ ଏକ ସଫଳତା ମିଳିଛି । କୁଖ୍ୟାତ ମାଓବାଦୀ ସୁନୀଲ ଗଞ୍ଜୁ ଗିରଫ । ସୁନ୍ଦରଗଡ ଜିଲା ବରକା ଥାନା ଜୋରାକଟ ଗାଁରୁ ସୁନୀଲକୁ ଗିରଫ କରିଛି ହଜାରିବାଗ ପୁଲିସ । ଭାକପା ମାଓ ସଂଗଠନର ପୂର୍ବ ଜୋନାଲ କମାଣ୍ଡର ଥିଲା ସୁନୀଲ ଗଞ୍ଜୁ । ସୁନୀଲ ନାଁରେ ଝାଡଖଣ୍ଡର ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି ।
ଅନ୍ୟପଟେ ରାଉରକେଲା ସରଣ୍ଡା ଜଙ୍ଗଲ ଛୋଟାନାଗରାରେ ମୋବାଇଲ ଟାୱାର ଉଡ଼ାଇଦେଇଛନ୍ତି ମାଓବାଦୀ । ଏୟାରଟେଲ ମୋବାଇଲ ଟାୱାରକୁ ସମ୍ପୂର୍ଣ ଭାବରେ ପୋଡ଼ି ନଷ୍ଟ କରିଦେଇଛନ୍ତି ଲାଲବାହିନୀ । ସୋମବାର ବିଳମ୍ବିତ ରାତିରେ ଛୋଟା ନାଗରା ଥାନା ବାହଦାରେ ଥିବା ଏକ ମୋବାଇଲ ଟାୱାର ମାଓବାଦୀଙ୍କ ନିଆଁରେ ଧ୍ବଂସ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ମତରେ ୧୨ରୁ ୧୫ ସଶସ୍ତ୍ର ମାଓବାଦୀ ଗାଁକୁ ଆସିଥିଲେ । ଏହି ସମୟରେ ଗ୍ରାମବାସୀଙ୍କୁ ଘରୁ ନ ବାହାରିବାକୁ ଧମକ ଦେଇଥିଲେ । ପରେ ଗାଁରେ ଥିବା ମୋବାଇଲ ଟାଓ୍ୱାରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଦୁଇ ଦିନ ପୂର୍ବରୁ ସୀମାନ୍ତ ଝାଡଖଣ୍ଡ ଜରେଇକେଲା ଥାନା କୋଲବଙ୍ଗୀରେ ମାଓବାଦୀମାନେ ମୋବାଇଲ ଟାଓ୍ୱାର ଉଡାଇଥିଲେ। ଆଉ ଏବେ ପୁଣି ଥରେ ମାଓବାଦୀଙ୍କ ପକ୍ଷରୁ ଆଉ ଏକ ମୋବାଇଲ ଟାଓ୍ୱାର ଧ୍ୱଂସ ପାଇଛି ।
ଏହି ଘଟଣା ପରେ,ଅଞ୍ଚଳରେ ମୋବାଇଲ ନେଟୱାର୍କ ବିଚ୍ଛିନ୍ନ ହୋଇଯାଇଛି । ଏହା ବ୍ୟତୀତ, ମାଓବାଦୀମାନେ ମୋବାଇଲ ଟାୱାର ଚାରିପାଖରେ ମାଓ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟର ମାଧ୍ୟମରେ, ମାଓବାଦୀମାନେ ପୁଲିସ ଦ୍ୱାରା କରାଯାଉଥିବା ନକ୍ସଲ ବିରୋଧୀ ଅଭିଯାନର ପ୍ରତିବାଦ କରିଛି ।
