ହନୁମାନ ଚାଳିଶା ବିବାଦରେ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ୬ଟି ସର୍ତ୍ତରେ ଜାମିନ

ମୁମ୍ବାଇ: ମେ ୦୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ଘଟଣାରେ ଗିରଫ ହୋଇଥିବା ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଜି ଜାମିନ ମିଳିଛି । ତେବେ ସେସନ୍‌ କୋର୍ଟ ସୋମନଙ୍କୁ ୬ ଗୋଟି ସର୍ତ୍ତମୂଳକ ଜାମିନ ଦେଇଛି ।
ସେହିସବୁ ସର୍ତ୍ତଗୁଡ଼ିକ ହେଲା-

* ରାଣା ଦମ୍ପତି ଗଣମାଧ୍ୟମକୁ କୌଣସି ସୂଚନା ଦେବେ ନାହିଁ ଓ ଏଥିରୁ ନିବୃତ୍ତ ରହିବେ ।

* ପ୍ରମାଣ ଓ ସାକ୍ଷୀଙ୍କ ସହିତ କୌଣସି ପ୍ରକାରର ପ୍ରଭାବ ପକାଇବେ ନାହିଁ ।

* ଯେଉଁ ଘଟଣା ପାଇଁ ସେମାନଙ୍କୁ ଗିରଫ କରାଯାଇଛି, ସେହି ଘଟଣା କିମ୍ବା ଅନ୍ୟ ଅପରାଧିକ ଘଟଣା ଘଟାଇବେ ନାହିଁ ।
* ପୋଲିସର ତଦନ୍ତ ପ୍ରକ୍ରିୟାରେ ରାଣା ଦମ୍ପତ୍ତି ସାହାଯ୍ୟ କରିବେ ।

* ଯଦି ତଦନ୍ତ ଅଧିକାରୀ ପଚରାଉଚରା ପାଇଁ ଡାକରା ଦିଅନ୍ତି, ତେବେ ରାଣା ଦମ୍ପତ୍ତି ଉପସ୍ଥିତ ହେବେ, ଏଥିପାଇଁ ଅଧିକାରୀ ୨୪ ଘଣ୍ଟା ପୂର୍ବରୁ ସୂଚନା ଦେବେ ।

* ପ୍ରତ୍ୟେକ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବେ ।

ସୂଚନା ଥାଉଯେ, ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୋଲିସ ରାଣା ଦମ୍ପତ୍ତିଙ୍କୁ ଗିରଫ କରିଥିଲା । ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଯାହା ସଦ୍‌ଭାବନା ଉଲ୍ଲଂଘନ ହେବା ସହିତ ବିଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏପ୍ରିଲ୍‌ ୨୫ରେ ଗିରଫ ସାଂସଦ-ବିଧାୟକ ଦମ୍ପତି ସେସନ୍‌ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ ।

Comments are closed.