ଅହମ୍ମଦାବାଦ: ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେୱାନୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ହୋଇଛି । ୨୦୧୬ ମାମଲାରେ ତାଙ୍କୁ ଏହି ଜେଲ ଦଣ୍ଡ ହୋଇଛି । ଶୁକ୍ରବାର ଅହମ୍ମଦାବାଦର ଏକ କୋର୍ଟ ଜିଗ୍ନେଶଙ୍କ ସମେତ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ୨୦୧୬ରେ ଗୁଜରାଟ ୟୁନିଭର୍ସିଟି ଲ’ଭବନ ବିଲଡିଂ ନାମ ପରିବର୍ତ୍ତନ କରି ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଥିଲା । ସେତେବେଳେ ଜିଗ୍ନେଶଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜୋରଦାର କରାଯାଇଥିଲା । ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟମାନଙ୍କୁ ୬ ମାସ ଲେଖାଁଏ ଜେଲଦଣ୍ଡ ହୋଇଛି । ବେଆଇନ୍ ଭାବେ ଏକାଠି ହେବା ଅଭିଯୋଗରେ ଜିଗ୍ନେଶ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ପୂର୍ବରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱନୀଙ୍କୁ ଗୁଜରାଟର ଏକ କୋର୍ଟ ୩ମାସ ଜେଲ ଦଣ୍ଡ ଶୁଣାଇଥିଲେ । ମହେସାଣା କୋର୍ଟ ତାଙ୍କୁ ତିନିମାସ ପାଇଁ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜରିମାନା ଦେବାକୁ କହିଥିଲେ । ଜିଗ୍ନେଶ ମେୱାନୀଙ୍କ ସହ ଏନସିପି ନେତ୍ରୀ ରେଶମା ପଟେଲ ଏବଂ ସୁବୋଧ ପରମାରଙ୍କୁ ମଧ୍ୟ ତିନିମାସ ପାଇଁ ଦଣ୍ଡିତ କରାଯାଇଥିଲା । ୫ବର୍ଷ ପୂର୍ବେ ବିନା ଅନୁମତିରେ ରାଲି କରିଥିବାରୁ ସମୁଦାୟ ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମହେସାଣା କୋର୍ଟ । ଦଣ୍ଡିତ ହୋଇଥିବା ୧୨ଜଣ ଦୋଷୀ ୨୦୧୭ରେ ଆଜାଦୀ କୁଚ୍ ରାଲି କରିଥିଲେ । ଉନାରେ ଦଳିତଙ୍କୁ ମାଡ଼ ମରାଯିବା ମାମଲା ସାମ୍ନାକୁ ଆସିବା ପରେ, ଜୁଲାଇ ୧୨, ୨୦୧୭ରେ ‘ଆଜାଦୁ କୁଚ’ ନାମକ ଆନ୍ଦୋଳନ କରାଯାଇଥିଲା ।
ଏହି ରାଲି ପରେ ଆରୋପ ଲାଗିଥିଲା ଯେ, ବିନା ଅନୁମତିରେ ଏହି ରାଲି କରାଯାଇଥିଲା । ବିଧାୟକ ଜିଗ୍ନେଶ ମେବାନୀ, ଏନସିପି ନେତା ରେଶମା ପଟେଲ, ସୁବୋଧ ପରମାର ଏହି ରାଲି କରି ସରକାରଙ୍କ ବିଜ୍ଞପ୍ତିକୁ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା । ପରେ ମାମଲାର ଶୁଣାଣି କରି ମହେସାଣା କୋର୍ଟ ୧୨ ଜଣଙ୍କୁ ୩ ମାସ ଜେଲଦଣ୍ଡ ଶୁଣାଇଥିଲେ । ପରେ ମହେସାଣା କୋର୍ଟ ରାୟକୁ ଚାଲେଞ୍ଜ କରି ଜିଗ୍ନେଶ ହାଇକୋର୍ଟ ଯାଇଥିଲେ । ତଳକୋର୍ଟ ରାୟକୁ ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ମାମଲା ଏବେ ବିଚାରଧୀନ ରହିଛି ।

Comments are closed.