ନିଯୁକ୍ତିମୂଳକ ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : କମ୍ପିଟେଟିଭ ପରୀକ୍ଷା ନିମନ୍ତେ ଫି’ ଛାଡ଼ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତିମୂଳକ ପରୀକ୍ଷା ପାଇଁ ଫି ଛାଡ଼ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି ଲେଖାଯାଇଛି । ଏହି ଫି’ଛାଡ଼ କେବଳ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁହେବ । କିନ୍ତୁ ଯେଉଁ ପରୀକ୍ଷାର୍ଥୀମାନେ ଖାମଖିଆଲି ଭାବରେ ଫର୍ମ ପୁରାଣ କରି ପରୀକ୍ଷା ଦେଉ ନଥିବେ ତାଙ୍କୁ ପରୀକ୍ଷା ଫି’ଫେରସ୍ତ ହେବ ନାହିଁ । ଏହାଦ୍ବାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ ।

ତେବେ କେଉଁ ପରୀକ୍ଷା ପାଇଁ କେତେ ଟଙ୍କା ଫି’ ଧାର୍ଯ୍ୟ କରାଯିବ ଏବଂ କେତେ ଟଙ୍କା ଫେରସ୍ତ କରାଯିବ ସେନେଇ ଆସନ୍ତା ୨୪ ତାରିଖ ମଧ୍ୟରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ବୋର୍ଡ ଓ ଏସ୍‌ଏସ୍‌ବି ପରି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏପରି ନୀତି ଆପଣାଇଛନ୍ତି। ଫଳରେ ଖାମଖିଆଲି ଆବେଦନକାରୀଙ୍କ ସଂଖ୍ୟା ପ୍ରାୟତଃ ନଥାଏ। କାରଣ ପରୀକ୍ଷା ନଦେଲେ ସେମାନଙ୍କ ଫି’ ଫେରସ୍ତ ମିଳିବ ନାହିଁ ବୋଲି ଜାଣିବା ପରେ ସେମାନେ ଆବେଦନ କରୁନାହାନ୍ତି। ନୂଆ ନିଷ୍ପତ୍ତି ଦ୍ୱାରା ଆବେଦନକାରୀଙ୍କ ସଂଖ୍ୟା କମିବ। ଫଳରେ ପରୀକ୍ଷାକେନ୍ଦ୍ର କମିବା ସହ ଗୋଟିଏ ସିଫ୍ଟରେ ମଧ୍ୟ ପରୀକ୍ଷା ପରିଚାଳନା ହୋଇପାରିବ।

Govt

Comments are closed.