ବୌଦ୍ଧ : ବୌଦ୍ଧ ସହରର ବାପୁଜୀନଗରସ୍ଥିତ ଏକ ପୋଖରୀରୁ ମିଳୁଥିବା ଶାମୁକା ମଧ୍ୟରୁ ବିଭିନ୍ନ ଧର୍ମର ଦେବାଦେବୀଙ୍କ ମୂର୍ତ୍ତି ମିଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଛୋଟପିଲା ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଉତ୍ସୁକତା ବଶତଃ ଜଣେ ପିଲା ପୋଖରୀରେ ପଡିଥିବା ଶାମୁକା ଉଠାଇ ଖୋଲିଥିଲେ । ଶାମୁକା ଭିତରେ ଗଣେଶଙ୍କ ପ୍ରତିକୃତି ଦେଖି ଏହି କଥା ଅନ୍ୟ ସାଙ୍ଗମାନଙ୍କୁ ଜଣାଇବା ପରେ ସବୁ ସାଙ୍ଗ ମିଶି ପଡିଥିବା ଶାମୁକା ସବୁ ଉଠାଇ ଖୋଲିବାକୁ ଲାଗିଲେ । ଶାମୁକାଗୁଡିକ ମଧ୍ୟରୁ ବିଭିନ୍ନ ଧର୍ମର ଚିହ୍ନ ସହିତ ବିଭିନ୍ନ ଦେବା ଦେବୀଙ୍କ ପ୍ରତିକୃତି ଥିବା ଦେଖିବା ପରେ ଏହି ଖବର ଚାହୁଁ ଚାହୁଁ ସବୁଆଡ଼େ ପ୍ରଚାରିତ ହୋଇଥିଲା ।
ଶାମୁକା ଭିତରୁ ଦେବାଦେବୀଙ୍କ ପ୍ରତିକୃତି ମିଳୁଥିବା ସୂଚନା ପାଇ ପାଖ ବସ୍ତିବାସିନ୍ଦାଙ୍କ ସମେତ ଆଖ ପାଖ ଅଞ୍ଚଳରୁ ଲୋକମାନେ ଏହା ଦେଖିବାକୁ ଭିଡ଼ ଜମାଇଥିଲେ । ତେବେ ଶାମୁକା ଭିତରୁ ଦେବାଦେବୀଙ୍କ ପ୍ରତିକୃତି ମିଳିବା ଖବର ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍ ଭାଇରାଲ ହେବା ସହିତ ଏହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଅଛି । ସଂପୃକ୍ତ ପୋଖରୀକୁ ଖନନ କରାଯାଇ ଶାମୁକାଭିତରୁ ଦେବାଦେବୀଙ୍କ ପ୍ରତିକୃତି ମିଳିବାର ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ମତପ୍ରକାଶ ପାଉଅଛି ।

Comments are closed.