ଗୋଆ: ଡିସେମ୍ବର ୦୩: ଗୋଆ ଫରୱାର୍ଡ ପାର୍ଟିର ବିଧାୟକ ଜୟେଶ ସାଲଗାଓଁକର ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।
ସେ ଶୁକ୍ରବାର ଅପରାହ୍ନରେ ଶାସକ ବିଜେପିରେ ଯୋଗଦେବେ ବୋଲି ଗୋଆ ବିଜେପି ମୁଖ୍ୟ ସଦାନନ୍ଦ ଶେଟ ତନାଭେଡେ ଗଣମାଧ୍ୟମକୁ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ଶ୍ରୀ ସାଲଗାଓଁକର ତାଙ୍କ ଇସ୍ତଫାପତ୍ର ବାଚସ୍ପତି ରାଜେଶ ପାଟନେକରଙ୍କୁ ପ୍ରଦାନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଯିଏ ବିଜେପିରେ ଯୋଗଦେବାକୁ ଚାହୁଁଛି ତାଙ୍କୁ ସ୍ୱାଗତ କରାଯାଇଛି। ଶ୍ରୀ ସାଲଗାଓଁକରଙ୍କ ଇସ୍ତଫା ସହିତ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାର ପ୍ରଭାବଶାଳୀ ଶକ୍ତି ୩୮କୁ ହ୍ରାସ ପାଇଛି। ଶ୍ରୀ ତନାଭେଡେ କହିଛନ୍ତି ଯେ ସାଲଗାଓଁକରଙ୍କୁ ସାଲିଗାଓ ନିର୍ବାଚନମଣ୍ଡଳୀରୁ ଟିକେଟ ନିଶ୍ଚିତ କରାଯାଇ ନାହିଁ ଏବଂ ସେ ବିନା ସର୍ତ୍ତରେ ବିଜେପିରେ ଯୋଗଦେବେ।ଟିକେଟ୍ ସ୍ଥିର କରିବା ପୂର୍ବରୁ ଦଳ ନିର୍ବାଚନମଣ୍ଡଳୀରେ ଏକ ସର୍ଭେ କରିବ ବୋଲି ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି। ତେବେ ସାଲଗାଓଁକରଙ୍କ ଏପରି ନିଷ୍ପତ୍ତି ଉଭୟ ଦଳ ପ୍ରତି କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।

Comments are closed.