ଗୌରହରି ଦାସ ପାଇବେ ‘ଶାରଳା ପୁରସ୍କାର’

ଭୁବନେଶ୍ୱର : ଇମ୍ଫା ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ଘୋଷଣା ହେଲା ମର୍ଯ୍ୟାଦାଜନକ ଶାରଳା ପୁରସ୍କାର I ଏହି ପୁରସ୍କାର ଚଳିତ ବର୍ଷ ସୁଖ୍ୟାତ କଥାକାର ଡ. ଗୌରହରି ଦାସଙ୍କୁ ପ୍ରଦାନ କରାଯିବ । ଏନେଇ ବିଚାରକମଣ୍ଡଳୀଙ୍କ ଦ୍ୱାରା ସ୍ଥିର ହୋଇଛି । ୨୦୧୮ ମସିହାରେ ଟାଇମ୍‌ପାସ୍‌ ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ଲାଭ କରିବେ । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଥାଏ I କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନର ପରମ୍ପରା ରହିଛି ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି ।

Comments are closed.