ମହାନଦୀକୁ କଲମା ବ୍ୟାରେଜ ବାଧା, ଆଶଙ୍କାରେ ଗଙ୍ଗାଧର ମେଗା ଲିଫ୍‌ଟ ପ୍ରକଳ୍ପ

ବରଗଡ଼ : ଜଳବାୟୁ ପରିବର୍ତ୍ତନ ସହ ମାନବକୃତ ଅତ୍ୟାଚାର ଯୋଗୁଁ ଓଡ଼ିଶାର ଜୀବନଧାରା ମହାନଦୀ କ୍ରମାଗତ ଭାବେ ଶୁଖିବାରେ ଲାଗିଛି । ଛତିଶଗଡ଼ ସରକାର ନଦୀବକ୍ଷରେ ଏକାଧିକ ଆନିକଟ ଓ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶା ଭାଗ ଟାଙ୍ଗରା ହୋଇଛି । ଏହାଦ୍ୱାରା ବରଗଡ଼ ଜିଲ୍ଲାର ଚାଷବାସ, ମତ୍ସ୍ୟଚାଷ, ପାନୀୟଜଳ ଯୋଗାଣ, ପର୍ଯ୍ୟଟନ ବିକାଶରେ ଶଙ୍କା ସୃଷ୍ଟି କରିଛି । ଜିଲ୍ଲାରେ ପ୍ରବାହିତ ମହାନଦୀର ଶାଖା ଓ ଉପନଦୀ ସମୂହ ଜୀରା, ଦନ୍ତା, ଗିରିଶୂଳ, ରାଞ୍ଜ ନଦୀ ତଥା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ବରଗଡ଼ କେନାଲ ସହିତ ଏକାଧିକ ଶାଖା କେନାଲ ଏପରିକି ରାଜ୍ୟ ସରକାରଙ୍କ ଆଙ୍କାକ୍ଷୀତ ଗଙ୍ଗାଧର ମେହେର ମେଗା ଲିଫ୍‌ଟ ପ୍ରକଳ୍ପ ପାଇଁ ମଧ୍ୟ ବିପଦ ପାଲଟିଛି ।

ମହାନଦୀକୁ କଲମା ବ୍ୟାରେଜ ବାଧା, ଆଶଙ୍କାରେ ଗଙ୍ଗାଧର ମେଗା ଲିଫ୍‌ଟ ପ୍ରକଳ୍ପ

ମହାନଦୀରେ ଜଳାଭାବ ଯୋଗୁଁ ଅମ୍ବାଭୋନା ଅଞ୍ଚଳର ନଦୀଘାଟମାନ ସମ୍ପୂର୍ଣ୍ଣ ଭାବେ ଶୁଖି ଯାଇଛି । ଜଳପ୍ରବାହ କିଛିମାତ୍ର ଫୁଟ ଓସାରରେ ସୀମିତ ରହିଯାଇଛି । ନଦୀବକ୍ଷରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ଧୀବରଙ୍କ ବେଉସା ପ୍ରଭାବିତ ହୋଇଛି । ଡ଼ଙ୍ଗା ଚଳାଚଳ ପ୍ରାୟତଃ ବନ୍ଦ ହୋଇ ଯାଇଛି । ଚିଖିଲି ମେଗାଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍‌ ପଡ଼ିଥିବା ବେଳେ ପଥରସେନୀ ଭଳି ପିକନିକ ଘାଟ ମଧ୍ୟ ଜଳାଭାବରୁ ପ୍ରଭାବିତ ହୋଇଛି । ସେହିଭଳି ଶୁଷ୍କ ମହାନଦୀ ହୀରାକୁଦ ଡ଼୍ୟାମ ପାଇଁ ମଧ୍ୟ କାଳ ହୋଇଥିବାରୁ ଜଳଭଣ୍ଡାର ଉପରେ ନିର୍ଭରଶୀଳ ସେଚ ପ୍ରକଳ୍ପ, ପାନୀୟଜଳ ଓ ଶିଳ୍ପ ମଧ୍ୟ ପ୍ରଭାବିତ ହେଉଛି । ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଟାଣି କାର୍ଯ୍ୟକାରୀ ହେବାକୁ ଯାଉଥିବା ଓଡ଼ିଶାର ପ୍ରଥମ ଉଦ୍ୟମ ବରଗଡ଼ ଗଙ୍ଗାଧର ମେହେର ମେଗାଲିଫଫ ପ୍ରକଳ୍ପ ସନ୍ଦିହାନ ଭିତରକୁ ଠେଲି ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ବିଶାଳ ପାଇପ ଲାଇନ ଜରିଆରେ ପାଣି ଅଣାଯାଇ ଚିର ମରୁଡ଼ିଗ୍ରସ୍ତ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା, ଗାଇସିଲାଟ ତଥା ଆଂଶିକ ସେଚିତ ବରଗଡ଼ ଓ ବରପାଲି ବ୍ଲକକୁ ସେଚିତ କରାଯିବା ଲକ୍ଷ୍ୟ ରଖି ନିର୍ମାଣ କାର୍ଯ୍ୟ ଜାରି ଥିବା ବେଳେ ମହାନଦୀରେ ଜଳାଭାବ ଲକ୍ଷ୍ୟ ପୂରଣରେ ବାଧା ସାଜିପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ବରଗଡ଼ର ଲାଇଫ ଲାଇନ ବରଗଡ଼ କେନାଲ ବନ୍ଦ ହେଲେ ବରଗଡ଼ରେ ଜଳାଭାବ ଦେଖା ଦେଉଥିବା ବେଳେ ପୌରାଞ୍ଚଳ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଠପ୍‌ ପଡ଼ି ଯାଉଛି ।

ମହାନଦୀକୁ କଲମା ବ୍ୟାରେଜ ବାଧା, ଆଶଙ୍କାରେ ଗଙ୍ଗାଧର ମେଗା ଲିଫ୍‌ଟ ପ୍ରକଳ୍ପ

ବରଗଡ଼ ସମେତ ଓଡ଼ିଶାର ୭ଟି ଜିଲ୍ଲାରେ ମହାନଦୀର ଜଳପ୍ରବାହ ଜାରି ରଖିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନିଅ;ୁ ବୋଲି ପରିବେଶବିତ ଜେଠୁ ଭୋଇ, କୋସଲ ରାଜ୍ୟ ସମନ୍ୱୟ ସମିତି ସହ ଆବାହକ ସୁନୀଲ ପୁରୋହିତ, କୋସଲ ନେତା ସୁରେନ୍ଦ୍ର ପଣ୍ଡା ପ୍ରମୂଖ ପ୍ରକାଶ କରିବା ସହ ଯଥାଶୀଘ୍ର ବରଗଡ଼ ଜିଲ୍ଲାରେ ମଧ୍ୟ ମହାନଦୀ ଉପରେ ଏକ ଆନିକଟ ତିଆରି କରାଯାଉ ବୋଲି ଦାବି କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.