ଭୁବନେଶ୍ୱର : ଅବସର ଦିନ ସରକାରୀ କର୍ମଚାରୀଙ୍କ ସୁନିଶ୍ଚିତ ହେବ ପୂର୍ଣ୍ଣାଙ୍ଗ ପେନଶନ I ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିବସରେ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସବୁ ବିଭାଗକୁ ଚିଠି ଲେଖି ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି ।
ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ, ୧୯୯୨ ଅନୁସାରେ ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଯଦି କୌଣସି କର୍ମଚାରୀଙ୍କ ବିରୋଧରେ କୌଣସି ଭିଜିଲାନ୍ସ ମାମଲା ରହିଥିବ, ତେବେ ପୂର୍ବରୁ ତାହା ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ମାସର ପେନସନ୍ ତଥ୍ୟ ପର ମାସର ୭ ତାରିଖରେ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବାରେ ବିଭାଗଗୁଡ଼ିକ ପକ୍ଷରୁ ବିଳମ୍ବ ହେଉଥିବାରୁ ତାହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମାନବିକତା ତଥା ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ କର୍ମଚାରୀଙ୍କ ଅବସର ଦିନ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସୁନିଶ୍ଚିତ କରିବା ବିଭାଗୀୟ ଅଫିସରମାନଙ୍କର ଦକ୍ଷତାର ମାପକାଠି ବୋଲି ଶ୍ରୀ ଆହୁଜା କହିଛନ୍ତି । ଅବସର ଦିନ ହିଁ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଦେବା ପାଇଁ ୨୦୧୯ ମସିହା ଡିସେମ୍ବର ୧୨ ତରିଖରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହାକୁ ବିଭାଗଗୁଡ଼ିକ ପାଳନ କରୁନାହାନ୍ତି । ପ୍ରତ୍ୟେକ ମାସରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଅବର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଉଛି ତା’ର ତଥ୍ୟ ସମ୍ପୃକ୍ତ ଅଧିକାରୀମାନେ ପର ମାସର ୭ ତାରିଖ ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଇ-ମେଳ ଜରିଆରେ ଜଣାଇବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.