ଶାନ୍ତି ଲାଗି ମୋଦିଙ୍କୁ ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ କଲେ ପ୍ରଶଂସା

ନୂଆଦିଲ୍ଲୀ: ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଫ୍ରାନ୍‌ସ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ନ୍ୟୁୟର୍କରେ ଚାଲିଥିବା ଜାତିସଂଘର ସାଧାରଣ ଅଧିବେଶନରେ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି, ଏହା ଯୁଦ୍ଧର ସମୟ ନୁହେଁ, ଏହା ଶତ ପ୍ରତିଶତ ଠିକ୍‌ । ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ କିମ୍ବା ପାଶ୍ଚାତ୍ୟ ଦେଶକୁ ସମର୍ଥନର ସମୟ ନୁହେଁ । ଏବେ ସବୁଦେଶ ପାଇଁ ସାର୍ବଭୌମତ୍ୱର ଆବଶ୍ୟକତା ରହିଛି । ଏବେ ସମସ୍ତ ଚ୍ୟାଲେଞ୍ଜର ଆମକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ପଡିବ ବୋଲି ଫ୍ରାନ୍‌ସ ରାଷ୍ଟ୍ରପତି କହିଛନ୍ତି ।

ଶାନ୍ତି ଲାଗି ମୋଦିଙ୍କୁ ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ କଲେ ପ୍ରଶଂସା
ଦୁଇଶହ ଦିନରୁ ଅଧିକ ସମୟ ହେବ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରୁନାହିଁ । ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ ବୈଠକ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ଓ କୂଟନୈତିକ ସ୍ତରରେ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଯୁଦ୍ଧର ସମୟ ନୁହେଁ । ସାରା ବିଶ୍ୱ ତଥା ବିକାଶଶୀଳ ଦେଶ ମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାର ସମାଧାନ ପାଇଁ ଆମ ସମସ୍ତଙ୍କୁ ଚେଷ୍ଟା କରିବାକୁ ପଡିବ । ଦ୍ୱିପାକ୍ଷିକ ଆଲେଚନା ବେଳେ ୟୁକ୍ରେନ୍‌ ପ୍ରସଙ୍ଗରେ ଉତ୍ତର ରଖିଥିଲେ ଭ୍ଲାଡିମିର ପୁଟିନ୍‌ । ସେ କହିଛନ୍ତି, ଆମେ ବି ଚାହୁଁ ଖୁବଶୀଘ୍ର ବିବାଦର ସମାଧାନ ହେଉ । ହେଲେ ୟୁକ୍ରେନ୍‌ ନେତୃତ୍ୱ ଏନେଇ ଆଗ୍ରହ ଦେଖାଉନାହାନ୍ତି । ଏପରିକି ସେମାନେ ଆଲୋଚନା ପାଇଁ ମଧ୍ୟ ରାଜି ନାହାନ୍ତି । ଯୁଦ୍ଧକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ ବୋଲି ୟୁକ୍ରେନ୍‌ ଆଶା ରଖିଥିବା ପୁଟିନ ଜଣାଇଥିଲେ ।

Comments are closed.