ଗୋଷ୍ଠୀ ସଂଘର୍ଷରେ ୪ ଗୁରୁତର

ବାରିପଦା : ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆକ୍ରମଣରେ ମା’ ଓ ପୁଅ ଗୁରୁତର । ମା’କୁ ଖଣ୍ଡାରେ ହାଣି ଗୁରୁତର କରିଥିବାବେଳେ ପୁଅ ଛାତିକୁ ଗୁଳିମାଡ଼ କରିଛନ୍ତି । ୧୫ରୁ ୨୦ଜଣ ଯୁବକ ଏକତ୍ରିତ ଭାବେ ଆସି ହଠାତ ମା’ ଓ ପୁଅଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପୁଅ ଛାତିରେ ଗୁଳି ବାଜିଥିବା ବେଳେ ମହିଳାଙ୍କ ମୁଣ୍ଡରେ ଖଣ୍ଡାଚୋଟ ପଡିଛି । ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରେ । ସମସ୍ତ ଗୁରୁତରଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଉଭୟ ଗୋଷ୍ଠୀ ପକ୍ଷରୁ ହସ୍ପିଟାଲରେ ମଧ୍ୟ ଉତ୍ତେଜନା ଓ ପୋଲିସକୁ ଠେଲାପେଲା କରିଥିବା ଜଣା ପଡିଛି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଉଭୟ ପକ୍ଷର କିଛି ଲୋକଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

ସେପଟେ ଆଜି ଦିନ ପ୍ରାୟ ଅଢେଇଟା ବେଳେ ବାରିପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ୬ ଜଣ ଦୁର୍ବୃତ୍ତ ହଠାତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ୮ ରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ସେହିପରି ସୋମବାର ଦିନ ସକାଳ ୧୦ ଟା ସମୟରେ କୁଚେଇ ଅସନଯୋଡ଼ା ନିକଟରେ ଲୁଟ ଉଦ୍ଦ୍ୟେଶରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲା । ଯୁବକ ଜଣକ କୁଳିଅଣାରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀ । ସେ ଦୋକାନରୁ ୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଆସୁଥିବାବେଳେ ବ୍ୟାଙ୍କ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଗୁଳିମାଡ଼ର ଶିକାର ହୋଇଥିଲେ । ତେବେ ଦୁର୍ବୁତ୍ତମାନେ ଟଙ୍କା ନେଇ ନପାରି ସେଠାରୁ ଫେରାର ହୋଇଯାଇଥିଲେ । ବାରିପଦା ଏକ ଶାନ୍ତ ସହର ହୋଇଥିବାବେଳେ ଦିନକୁ ଦିନ ଏଠାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ ବଢୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

Govt

Comments are closed.