ସମ୍ବଲପୁର : ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ଆଜି ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ । ବାମ ପାର୍ଶ୍ୱରେ ୩ଟି ଗେଟ ଖୋଲିଥିବାବେଳେ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ ଖୋଲିଛି ଇ ଏହି ଗେଟ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢିଛି ଜଳସ୍ତର । ଏହି ସମୟରେ ମହାନଦୀ ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଆଜି ସକାଳ ୯ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ରହିଛି ୬୨୦.୫୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୫୨ ହଜାର ୪୫୫ କ୍ୟୁସେକ ଜଳ । ସେହିଭଳି ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୩୧ ହଜାର ୫୨୫ କ୍ୟୁସେକ ଜଳ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ । ଏହା ସହ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଯେ, ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି। ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି ।
